ଦମ୍‌ରେ ଆଳୁ ନାହିଁ

କଟକ,୨୮ା୭(କାର୍ତ୍ତିକ ସାହୁ): ଖାଉଟିଙ୍କୁ ଘାଇଲା କରିଛି ବର୍ଦ୍ଧିତ ଆଳୁ ଦର। ଓଡ଼ିଶା ବଜାରକୁ ପଶ୍ଚିମବଙ୍ଗ ଆଳୁ ପର୍ଯ୍ୟାପ୍ତ ଭାବେ ନ ଆସିବା କାରଣରୁ ପରିସ୍ଥିତି ସଙ୍ଗିନ ହୋଇଛି। ଗୃହିଣୀଙ୍କ ହାଣ୍ଡିଶାଳଠାରୁ ଆରମ୍ଭକରି ରାସ୍ତାକଡ଼ ବ୍ୟବସାୟୀଙ୍କ ଖାଦ୍ୟ ବେପାର ପ୍ରଭାବିତ ହୋଇଛି। ବିଶେଷକରି କଟକର ପ୍ରସିଦ୍ଧ ଦହିବରା-ଆଳୁଦମ୍‌ରୁ ଆଳୁ ଉଭାନ୍‌ ହୋଇଥିବା ପରିଲକ୍ଷିତ ହୋଇଛି। ଦହିବରା ସହ ମସଲାଦିଆ ଆଳୁଦମ୍‌ର ମଜା ଏବେ ମହଙ୍ଗା ହୋଇଛି। ଗୁପ୍‌ଚୁପ୍‌, ଚାର୍ଟ କାରବାରରେ ମଧ୍ୟ ତଦ୍ରୂପ ସ୍ଥିତି ଦେଖାଦେଇଛି। କଟକର ଦୋଳମୁଣ୍ଡାଇ ଛକ, ବାରବାଟୀ ଷ୍ଟାଡିୟମ ଛକ, କଲେଜ ଛକ ସମେତ ଅନ୍ୟାନ୍ୟ ଅଞ୍ଚଳରେ ଗରାଖଙ୍କୁ ସନ୍ତୁଷ୍ଟ କରିବା ପାଇଁ ବ୍ୟବସାୟୀଙ୍କୁ ବେଶ୍‌ କସରତ କରିବାକୁ ପଡ଼ୁଛି।

ସନ୍ଧ୍ୟା ହେଲେ ଦୋଳମୁଣ୍ଡାଇର ଖାଦ୍ୟ ବଜାର ସରଗରମ ହୁଏ। ଦର ଯାହା ବି ହେଉ ଗରାଖ ଖାଇବାକୁ ପଛଘୁଞ୍ଚା ଦେବେନାହିଁ। ହେଲେ ଏବେ ଆଳୁ ଦର ପାଇଁ ଖାଦ୍ୟପ୍ରେମୀମାନେ ଟିକେ ନିରାଶ ହେଉଛନ୍ତି। ଅଧିକ ପଇସା ଦେଲେ ବି ମନ ମୁତାବକ ଆଳୁଦମ୍‌ ମିଳିପାରୁନାହିଁ। ଠେଲାଗାଡ଼ିରେ ବେପାର କରୁଥିବା ବ୍ୟବସାୟୀ କୁଣ୍ଠିତ ହେଉଛନ୍ତି ଗ୍ରାହକର ଇଚ୍ଛା ପୂରଣ କରିବାକୁ। ଦୋଳମୁଣ୍ଡାଇରେ ଖାଦ୍ୟ ବ୍ୟବସାୟ କରୁଥିବା ଦୀପକ ପାତ୍ର କୁହନ୍ତି, ପୂର୍ବରୁ ଦହିବରା-ଆଳୁଦମ୍‌ ପ୍ଲେଟ୍‌ ୪୦ ଟଙ୍କା ନେଉଥିଲୁ। ମାତ୍ର ଆଳୁ ଦର ବଢ଼ିବା ଦିନଠାରୁ ପ୍ଲେଟ୍‌ ପିଛା ଦର ୧୦ ଟଙ୍କା ବଢ଼ାଇ ୫୦ ଟଙ୍କା କରିଛୁ। ଆଗରୁ ୪ ପିସ୍‌ ଆଳୁଦମ୍‌ ଦେଉଥିଲୁ। ମାତ୍ର ଏବେ ୨ରୁ ୩ ପିସ୍‌ ଆଳୁ ଦେଉଛୁ। ତଥାପି ଗ୍ରାହକ ଖାଇବା ପାଇଁ ଭିଡ଼ ଜମାଉଛନ୍ତି। ସେହିପରି ମଙ୍ଗଳାବାଗରେ ଆଳୁଦମ୍‌-ଦହିବରା ବ୍ୟବସାୟୀ ପ୍ରଶାନ୍ତ କୁମାର ଚୌଧୁରୀଙ୍କ କହିବାନୁସାରେ, ପ୍ରତି ୪ ଦିନରେ ଗୋଟିଏ ବସ୍ତା ଆଳୁ କିଣୁ। ପୂର୍ବରୁ ଆଳୁ ବସ୍ତା ୧୨୦୦ ଟଙ୍କାରେ କିଣୁଥିବା ବେଳେ ଏବେ ୧୯୦୦ ଟଙ୍କାରେ କିଣୁଛୁ। ଆମର ସବୁଦିନିଆ ଗରାଖଙ୍କଠାରୁ ଅଧିକ ଦାମ୍‌ ନେଇପାରୁ ନାହିଁ। ତେଣୁ ବାଧ୍ୟହୋଇ ଆଳୁ କମ୍‌ କରି ମଟର ପରିମାଣ ଅଧିକ କରିଛୁ। ପ୍ଲେଟ୍‌ ୩୦ ଟଙ୍କାରେ ଆଗରୁ ବିକୁଥିଲୁ ଏବେ ବି ସେତିକି ଦରରେ ବିକୁଛୁ। ଶୈଳବାଳା ମହିଳା ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ମାଲିକ ଦୀପ୍ତିମୟୀଙ୍କ କହିବାନୁସାରେ, କଲେଜ ଆସିଲେ ଦହିବରା-ଆଳୁଦମ୍‌ ନ ଖାଇଲେ ମନ ବୁଝେନି। ହଷ୍ଟେଲରୁ ଜଳଖିଆ ନଖାଇ କଲେଜ ପାଖ ରାସ୍ତା ପାର୍ଶ୍ୱରେ ଥିବା ଷ୍ଟଲରୁ ସାଙ୍ଗମାନଙ୍କ ସହ ନିଶ୍ଚିତ ଭାବେ ଦହିବରା-ଆଳୁଦମ୍‌ ଖାଇଥାଏ। ହେଲେ ଏବେ ଦହିବରାରୁ ଆଳୁ କମିଯିବା କାରଣରୁ ଆଳୁ ଖାଇବାର ଇଚ୍ଛା ଟିକେ ବଢ଼ିଯାଇଛି।

Share