ବାସ୍ତୁରେ ଶୋଇବାକୁ ନେଇ ରହିଛି ନିୟମ, ଜାଣିଲେ ଶରୀର ସହ ନିଦ୍ରା ଉପରେ ପଡ଼ିବନି କୁପ୍ରଭାବ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଶୋଇବା ସମୟରେ ମଧ୍ୟ କିଛିଟା ନିୟମ ମାନିବାକୁ ହୁଏ। ନଚେତ୍‌ ଏହାର କୁପ୍ରଭାବ ଆମର ଶରୀର ଓ ମନ ସହିତ ନିଦ୍ରା ଉପରେ ପଡ଼ିଥାଏ ବୋଲି କୁହାଯାଏ। ସେଥିପାଇଁ ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି, ଦକ୍ଷିଣ ଦିଗକୁ ମୁଣ୍ଡକରି ଶୋଇବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହାଦ୍ୱାରା ସୁଖ ସମୃଦ୍ଧି ବଢିଥାଏ। ସେହିପରି ପୂର୍ବ ଦିଗକୁ ମୁଣ୍ଡକରି ଶୋଇଲେ ସ୍ବାସ୍ଥ୍ୟ ଭଲ ରହିଥାଏ। ଆବଶ୍ୟକ ପଡିଲେ ପଶ୍ଚିମ ଦିଗକୁ ମୁଣ୍ଡକରି ଶୋଇହେବ, କିନ୍ତୁ କେବେ ବି ଉତ୍ତର ଦିଗକୁ ମୁଣ୍ଡକରି ଶୋଇବା ଠିକ୍‌ ନୁହେଁ। ଏହାଦ୍ୱାରା ଶରୀର ରୋଗଗ୍ରସ୍ତ ହେବା ସହ ଧନହାନି ହେବାର ସମ୍ଭାବନା ରହିଥାଏ ବୋଲି ମାନ୍ୟତା ରହିଛି। ସେହିପରି ଶୋଇଲାବେଳେ ମୁଣ୍ଡ ପାଖରେ ଖବରକାଗଜ, ବହି, ପତ୍ରପତ୍ରିକା, ମୋବାଇଲ୍‌ ଫୋନ୍‌, ଲାପ୍‌ଟପ୍‌, ଘଣ୍ଟା ଆଦି ରଖିବା ଠିକ୍‌ ନୁହେଁ। କାରଣ ଏହାଦ୍ୱାରା ମନରେ ଉତ୍ତେଜନା ସୃଷ୍ଟି ହେବା ସହିତ ମସ୍ତିଷ୍କ ଉପରେ କୁପ୍ରଭାବ ପଡ଼ିଥାଏ। ଅନ୍ୟପକ୍ଷେ ଶୋଇବା ସମୟରେ ଶେଯ ପାଖରେ କେବେ ବି ହେମଦସ୍ତା କିମ୍ବା କୌଣସି ପ୍ରକାରର କୁଟାକୁଟି ଜିନିଷ ରଖିବା ଠିକ୍‌ ନୁହେଁ। ଏହାଦ୍ୱାରା ସମ୍ପର୍କରେ ତିକ୍ତତା ବୃଦ୍ଧି ପାଇଥାଏ ବୋଲି ବିଶ୍ୱାସ ରହିଛି। ସେହିପରି ଶେଯ ସାମ୍ନାରେ ଭୁଲ୍‌ରେ କେବେ ବି ଦର୍ପଣ ରଖିବେ ନାହିଁ। କାରଣ ଶୋଇବା ସମୟର ଛବି ଦର୍ପଣରେ ପ୍ରତିଫଳିତ ହେଲେ ବୈବାହିକ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।