ଟୋକନ୍‌ ଅଛି, ଧାନ କିଣା ହେଉନି

ପୁରୀ ଅଫିସ,୧୨।୨: ଟୋକନ୍‌ ମିଳିସାରିଛି, ମାତ୍ର ଧାନ ବିକ୍ରି ହୋଇ ପାରୁନାହିଁ। ଏ ନେଇ ଗୁରୁବାର ଗୋପ ବ୍ଲକ୍‌ର ଛଇତନା ଓ ଇତିଭୂଆଁ ଗ୍ରାମପଞ୍ଚାୟତର ଚାଷୀମାନେ ଜିଲାପାଳ ସମର୍ଥ ବର୍ମାଙ୍କୁ ଅଭିଯୋଗପତ୍ର ଦେଇଛନ୍ତି। ଅଭିଯୋଗ ଅନୁଯାୟୀ, ଛଇତନା ସମବାୟ ସମିତି ମଣ୍ଡିରେ ମୋଟ ପଞ୍ଜୀକୃତ ଚାଷୀଙ୍କ ସଂଖ୍ୟା ୪୮୭। ଏମାନଙ୍କ ମଧ୍ୟରୁ ୧୮୭ ଜଣଙ୍କ ଧାନ ଉଠିସାରିଛି। ଅବଶିଷ୍ଟ ଚାଷୀଙ୍କ ପାଖରେ ଟୋକନ୍‌ ଥିଲେ ମଧ୍ୟ ଧାନ ଉଠିପାରୁନାହିଁ। ସେବା ସମବାୟ ସମିତି ମଣ୍ଡିରେ ମୋଟ୍‌ ୧୨ହଜାର କୁଇଣ୍ଟାଲ୍‌ ଧାନ ବିକ୍ରି ନେଇ ଟୋକନ୍‌ ଜାରି ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୫ହଜାର କୁଇଣ୍ଟାଲ ଧାନ ବିକ୍ରି ସରିଛି। ବଳକା ଧାନ ନେଇ ଚାଷୀଙ୍କ ପାଖରେ ଟୋକନ୍‌ ଥିବା ସତ୍ତ୍ବେ ବିକ୍ରି କରିପାରୁନାହାନ୍ତି। ଅନ୍ୟପକ୍ଷରେ ଏ ନେଇ ଚାଷୀମାନେ ସମବାୟ ସମ୍ପାଦକମାନଙ୍କୁ ପ୍ରଶ୍ନ କରିବାରୁ ସେମାନେ ସ୍ପଷ୍ଟ ଉତ୍ତର ରଖିନାହାନ୍ତି। ମଣ୍ଡିରେ ଚାଷୀଙ୍କ ଧାନ ବିକ୍ରି ନେଇ ଦ୍ୱନ୍ଦ୍ୱ ଥିବା ସମ୍ପାଦକମାନେ କହିଛନ୍ତି। ଜିଲା ପ୍ରଶାସନ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଚାଷୀମାନେ ଦାବି କରିଛନ୍ତି। ସମସ୍ୟାର ସମାଧାନ ହୋଇ ନ ପାରିଲେ ଚାଷୀମାନେ ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ୍‌ ରୋଡ୍‌ ଓ ଗୋପ-ବାଲିଘାଇ ରାସ୍ତାକୁ ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ସମ୍ପୃୃକ୍ତ ଚାଷୀମାନେ ଯୋଗାଣ ମନ୍ତ୍ରୀ, ଜିଲା ଯୋଗାଣ ଅଧିକାରୀ, ଜିଲା ଆରକ୍ଷୀ ଅଧିକାରୀ ଏବଂ ଉପଜିଲାପାଳଙ୍କୁ ଅଭିଯୋଗପତ୍ର ଦେଇଛନ୍ତି।

Share