ଗଛ ଅଛି ଫଟୋରେ, ଗଛ ନାହିଁ ମାଟିରେ

ପ୍ରତିବର୍ଷ କିଛି କିଛି ବୃକ୍ଷ ରୋପଣ କରି ଆମ ଅବକ୍ଷୟମୁଖୀ ପରିବେଶକୁ ସୁରକ୍ଷା କରିବା ନିହାତି ଆବଶ୍ୟକ। ପ୍ରତିବର୍ଷ ପାଳନ କରାଯାଉଥିବା ବନମହୋତ୍ସବର ଲକ୍ଷ୍ୟ ହେଲା ୧-ଜଙ୍ଗଲର ଗୁରୁତ୍ୱ ବିଷୟରେ ଲୋକଙ୍କୁ ସଚେତନ କରିବା। ୨-ଜଙ୍ଗଲ କ୍ଷୟର କ୍ଷତିକାରକ ପ୍ରଭାବ ବିଷୟରେ ଲୋକଙ୍କୁ ଶିକ୍ଷା ଦେବା। ୩-ବୃକ୍ଷରୋପଣ ଓ ଜଙ୍ଗଲ ସୁରକ୍ଷା ପାଇଁ ଲୋକଙ୍କୁ ଉତ୍ସାହିତ କରିବା। ୪-ମୃତ୍ତିକା, ଜଳ ଓ ଜୈବ ବିବିଧତାର ସୁରକ୍ଷା କରି ପବନର ଗୁଣାତ୍ମକ ଉନ୍ନତି କରିବା। ଏ ସବୁ ଲକ୍ଷ୍ୟ ନେଇ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ କରାଯାଏ। ମାଗଣାରେ ଚାରା ଯୋଗାଇ ଦିଆଯାଏ। ସରକାରୀ ଅର୍ଥ ବ୍ୟୟ କରି ପର୍ଯ୍ୟାପ୍ତ ପରିମାଣରେ ବୃକ୍ଷରୋପଣ ହୁଏ। ଫଟୋ ଉଠାଇ ପ୍ରମାଣ ରଖାଯାଏ। କିନ୍ତୁ କିଛିଦିନ ପରେ ଦେଖାଯାଏ ଯେଉଁଠାରେ ଗଛ ଲଗା ଯାଇଥିଲା ସେଠାରେ ଗଛ ନ ଥାଏ। ତେଣୁ ସେ ଗଛଟି ଫଟୋରେ ହିଁ ରହିଯାଏ। ଯଦି ୧୦୦ଟି ଗଛରୁ ୧୦ଟି ଗଛ ରହିଥାନ୍ତା ତା’ହେଲେ ସରକାରୀ ଅର୍ଥର କିଛି ଅଂଶ ସୁବିନିଯୋଗ ହୋଇଥାନ୍ତା।
ପ୍ରତିବର୍ଷ ବିଶ୍ୱ ପରିବେଶ ଦିବସ ମଧ୍ୟ ପାଳନ କରାଯାଉଛି। ଏହି ଦିନ ମଧ୍ୟ ବୃକ୍ଷ ରୋପଣକୁ ପ୍ରାଧାନ୍ୟ ଦିଆଯାଏ। ସ୍କୁଲ କଲେଜ ଛାତ୍ରୀଛାତ୍ରମାନଙ୍କୁ ନେଇ ଅନେକ ପ୍ରତିଯୋଗିତା ଆୟୋଜନ କରାଯାଏ। ପିଲାମାନଙ୍କୁ ମାଗଣାରେ ଚାରା ଯୋଗାଇ ଦିଆଯାଏ। ସରକାରୀ ବାବୁମାନେ ବହୁ ପରିମାଣରେ ଗଛ ଲଗାଇ ଫଟୋ ଉଠନ୍ତି। ଗଛର ହିସାବ କେହି ରଖନ୍ତି ନାହିଁ। ଏହି ଦିନ ବିଦ୍ୟାଳୟମାନଙ୍କରେ ମଧ୍ୟ ବୃକ୍ଷ ରୋପଣ ହୋଇଥାଏ, ବିଭିନ୍ନ ଅତିଥିମାନଙ୍କୁ ଡକାଇ ଗଛ ଲଗାଯାଏ ଓ ଫଟୋ ଉଠାଯାଇ ରଖାଯାଏ ପରବର୍ତ୍ତୀ କାର୍ଯ୍ୟକ୍ରମ ପାଇଁ, ଅର୍ଥାତ୍‌ ବିଦ୍ୟାଳୟ ପାଇଁ କୌଣସି ପୁରସ୍କାର ହାତେଇବା ଉଦ୍ଦେଶ୍ୟରେ। ଏଠି ଗୋଟିଏ ଘଟଣା ମନେପଡେ। ଗୋଟିଏ ବିଦ୍ୟାଳୟରେ ଜଣେ ପ୍ରଧାନ ଶିକ୍ଷକ ଅନେକ ଗଛ ଲଗାଇ ଫଟୋ ଉଠାଇ ପ୍ରକୃତିମିତ୍ର ପୁରସ୍କାର ପାଇଁ ଆବେଦନ କଲେ ଏବଂ ସେଥିରେ ସଫଳ ବି ହେଲେ। କିଛି ମାସ ପରେ ସେହି ପ୍ରଧାନ ଶିକ୍ଷକଙ୍କ ବଦଳି ହୋଇ ଗଲା। ତାଙ୍କ ଜାଗାରେ ଆଉ ଜଣେ ପ୍ରଧାନ ଶିକ୍ଷକ ସେ ବିଦ୍ୟାଳୟକୁ ଆସିଲେ। ସେ ଯେତେବେଳେ ଦେଖିଲେ ଏତେଗୁଡାଏ ଗଛ ଲାଗିଛି ତାଙ୍କର ଲୋଭ ହେଲା। ସେ ମଧ୍ୟ ଗଛଗୁଡିକର ଫଟୋ ଉଠାଇ ଆବେଦନ କଲେ ପୁରସ୍କାର ପାଇଁ। ଧରାଧରି କରି ସେ ମଧ୍ୟ ପୁରସ୍କାର ହାତେଇ ନେଲେ। ତେଣୁ ଫଟୋରେ ହିଁ ଗଛ ବଞ୍ଚି ରହେ। ଗଛ ନ ଲଗାଇ ମଧ୍ୟ ଅନ୍ୟ ଜାଗାର ଫଟୋ ଦେଖାଇ ପୁରସ୍କାର ମିଳିଯାଉଛି। ବାସ୍ତବ ଚିତ୍ରକୁ କେହି ଅନୁଧ୍ୟାନ କରୁନାହାନ୍ତି। ଗଛ ମାଟିରେ ନ ଥିଲେ କ’ଣ ହେଲା ଫଟୋରେ ତ ଅଛି।
ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କାର ଚାରା ନଷ୍ଟ କରାଯାଉଛି। ବୃକ୍ଷରୋପଣ ନାଅଁାରେ ଟଙ୍କା ଆସୁଛି। ସେଥିପାଇଁ ଚାରା ପକାଯାଉଛି। ବହୁତ ଅର୍ଥ ବିନିଯୋଗ ହେଉଛି କିନ୍ତୁ ଫଳ ଶୂନ। ଅଳ୍ପ କିଛି ଗଛ ଲଗାଇ ଦିଆଯାଉଛି। ତାହା ପୁଣି ଗୋଟିଏ ନିର୍ଦ୍ଦିଷ୍ଟ ଜାଗାରେ ପ୍ରତିବର୍ଷ ଲଗାଯାଉଛି। ଇଏ ବଡ ବିଚିତ୍ର କଥା। ଗତ ବର୍ଷ ଯେଉଁ ଜାଗାରେ ଗଛ ଲାଗିଥିଲା ଏବର୍ଷ ପୁଣି ସେହି ଜାଗାରେ ଗଛ ଲଗାଯାଉଛି। ଗତ ବର୍ଷର ଗଛ ଗଲା କେଉଁଆଡେ। ଚାରା ଲାଗିଲା ପରେ ବାକି ବଳକା ଚାରା ସବୁ ଫୋପାଡି ଦିଆଯାଉଛି। କାରଣ ଚାରର ମଧ୍ୟ ହିସାବ ଅଛି। ହିସାବ ଅନୁସାରେ ଟଙ୍କା ଖର୍ଚ୍ଚ ହୋଇଛି।
ଆଜିକାଲି ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନଗୁଡିକ ମଧ୍ୟ ଗଛ ଲଗାଇବାକୁ ଗୁରୁତ୍ୱ ଦେଉଛନ୍ତି। ପରିବେଶକୁ ନିର୍ମଳ ରଖିବା, କ୍ରମବର୍ଦ୍ଧିଷ୍ଣୁ ତାପମାତ୍ରା ହ୍ରାସ କରିବା ଲକ୍ଷ୍ୟ ନେଇ କାମ କରୁଛନ୍ତି। ଉଦ୍ଦେଶ୍ୟ ମହତ୍‌ କିନ୍ତୁ ବାସ୍ତବତା ଅଲଗା। ସେମାନେ ମଧ୍ୟ କୌଣସି ଗ୍ରାମ କିମ୍ବା ସହର ନିକଟସ୍ଥ ଅଦରକାରୀ ଜାଗାରେ ଗଛ ଲଗାଇ ଫଟୋ ଉଠାଇ ସାରିବା ପରେ କାମ ସରିଗଲା। ସୋସିଆଲ ମିଡିଆରେ ତାକୁ ପୋଷ୍ଟ କରିଦେଲେ ତାଙ୍କର ସେ ଅନୁଷ୍ଠାନକୁ କିଛି ଧନ୍ୟବାଦ, ପ୍ରଶଂସା ମିଳିଯାଏ ତ କିଛି ଅନୁଦାନ ମଧ୍ୟ ମିଳିଯାଏ।
ବର୍ତ୍ତମାନ ସମୟରେ ସାମାଜିକ ବନୀକରଣର ଆବଶ୍ୟକତା ବଢିଯାଇଛି। ଗ୍ରାମ କିମ୍ବା ସହର ନିକଟରେ ଥିବା ଅଦରକାରୀ ଜାଗାରେ ବୃକ୍ଷ ରୋପଣ କରି ଜଙ୍ଗଲ ସୃଷ୍ଟି କରିବା, କେବଳ ଫଟୋ ଉଠାଇବା ଉପରେ ଗୁରୁତ୍ୱ ନ ଦେଇ ବାସ୍ତବରେ ପରିବେଶ କଥା ଚିନ୍ତା କରି ଗଛ ଲଗାଇ ସେଗୁଡିକର ରକ୍ଷଣାବେକ୍ଷଣ କରି ବଞ୍ଚାଇବା ଜରୁରୀ। ମାଟିରେ ଗଛଟିଏ କେବଳ ଲଗାଇ ଦେଲେ ବଞ୍ଚେ ନାହିଁ , ତାକୁ ପାଣି ଦେଇ ବଞ୍ଚାଇବା ଓ ତା’ର ରକ୍ଷଣାବେକ୍ଷଣ କରି ଗୋରୁଙ୍କ କବଳରୁ ରକ୍ଷା କରିବା ଆବଶ୍ୟକ ହୋଇଥାଏ। ତା’ ହେଲେ ଯାଇ ନୂଆ ଜଙ୍ଗଲଟିଏ ସୃଷ୍ଟି କରିପାରିବା। ବାସ୍ତବିକ ଆଗରୁ ଯେଉଁ ଗଛଗୁଡିକ ଆମର ପୂର୍ବପୁରୁଷ ଲଗାଇଥିଲେ ସେହି ବିଶାଳ ଗଛଗୁଡିକ ଆଉ ଦୃଷ୍ଟିଗୋଚର ହେଉ ନାହିଁ। ବିଭିନ୍ନ କାରଣ ପାଇଁ ସେଗୁଡିକ କାଟି ଦିଆଗଲା। ସେ ଗଛଗୁଡିକର ପରମାୟୁ ବହୁତ ଥିଲା। ଏବେ ମଧ୍ୟ କାଁ ଭାଁ ଅଳ୍ପ କିଛି ପୁରାତନ ଗଛ ଅଛି। ରାସ୍ତାର ଉଭୟ ପାର୍ଶ୍ୱରେ ଯେଉଁ ପୁରୁଣା ଗଛ ଥିଲା ସେଗୁଡିକ କଟାଯାଇ ରାସ୍ତା ପ୍ରଶସ୍ତୀକରଣ ପରେ ନୂତନ ଗଛ ଲଗାଯାଇଛି। ନୂଆ ଗଛଗୁଡିକ ଆକାରରେ ଛୋଟ ହୋଇଥିବାରୁ ବାଟୋଇମାନଙ୍କୁ ଖରାଦିନେ ଛାଇ ପ୍ରଦାନ କରିପାରୁ ନାହିଁ। ସାମାନ୍ୟ ପବନରେ ଡାଳଗୁଡିକ ଭାଙ୍ଗିଯାଉଛି। ଯାହା ବି ହେଉ ଟଙ୍କା ଖର୍ଚ୍ଚ ହେଉଛି ଓ କିଛି କିଛି ଗଛ ଲଗାଯାଉଛି ଇଏ ଏକ ଆଶ୍ୱସ୍ତିର କଥା। କିନ୍ତୁ ସବୁ ଅର୍ଥର ଯଦି ସୁବିନିଯୋଗ ହୁଅନ୍ତା ନିଶ୍ଚିତ ଭାବରେ ପୃଥିବୀ ସବୁଜିମାରେ ଭରିଯାନ୍ତା।

ସତ୍ୟନାରାୟଣ ଦେହୁରୀ
ରାଧାନଗର, ବୌଦ୍ଧ
ମୋ: ୯୯୩୮୭୫୮୩୫୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଟଙ୍କା ଏଭଳି ଏକ ଜିନିଷ ଯାହା ବେଳେବେଳେ ଭାଇ ଭାଇଙ୍କ ମଧ୍ୟରେ ସାଙ୍ଗ ମଧ୍ୟରେ ଏମିତି କି ବାପା ପୁଅ ମଧ୍ୟରେ ବି ଝଗଡ଼ା ସୃଷ୍ଟି...

ଏକ ଅନ୍ତର୍ମୁଖୀ ଜୀବନ

ଲଣ୍ଡନ ସହରର ପଶ୍ଚିମ ଦିଗରେ ପ୍ରାୟ ୨୨୫ କିଲୋମିଟର ଦୂରରେ ବନ୍ଦର-ନଗର ବ୍ରିଷ୍ଟଲ ଅବସ୍ଥିତ। ଏହି ସହରରେ ଅନେକ ବରପୁତ୍ର ଜନ୍ମ ହୋଇଛନ୍ତି। ବିଂଶ ଶତାବ୍ଦୀର...

ପାକିସ୍ତାନରେ ପୁଣି ଆତଙ୍କବାଦୀ

ଆତଙ୍କବାଦୀଙ୍କୁ ପ୍ରଶ୍ରୟ ଦେଇଆସୁଥିବା ପାକିସ୍ତାନ ଏବେ ଘୋର ବିପଦର ସମ୍ମୁଖୀନ ହୋଇଛି। ବେଲୁଚିସ୍ତାନ ପ୍ରଦେଶରେ ମାର୍ଚ୍ଚ ୧୧ରେ ବାଲୋଚ ଲିବରେଶନ ଆର୍ମି(ବିଏଲ୍‌ଏ) କ୍ୱେଟାରୁ ପେଶାଓ୍ବାର ଯାଉଥିବା...

ହ୍ବାଇଟ୍‌ ହାଉସ୍‌ର ଭାରତ ଆଭିମୁଖ୍ୟ

ଭାରତ ତା’ ପ୍ରତିରକ୍ଷା ସରଞ୍ଜାମ ଆମଦାନୀ କରିବାକୁ ୨୦୦୮ରୁ ଏଯାବତ୍‌ ୨୦ ବିଲିଅନ ଡଲାରରୁ ଊର୍ଦ୍ଧ୍ୱ ଚୁକ୍ତି କରିଥିବା ବେଳେ ଏବେ ବଜାର ବଦଳାଇ ଆମେରିକା...

ସନ୍ଧାନେ ସପ୍ତଫଣୀ

ସତରେ କ’ଣ ସାପର ସାତୋଟି ମୁଣ୍ଡ ଅଛି? ଏହି ପ୍ରଶ୍ନଟି ମନକୁ ଆସିବାର କାରଣ ହେଉଛି ସର୍ବଦା ଗୋଟିଏ ମୁଣ୍ଡ ଥିବା ସାପ ଦେଖିଛେ। କିନ୍ତୁ...

କର୍ମ ଓ ସ୍ବାଧୀନ ଇଚ୍ଛା

ଆମକୁ କ’ଣ କରିବାକୁ ହେବ ତାହା ଆମେ ସ୍ବାଧୀନ ଭାବରେ ଚୟନ କରୁ ନା ଆମ କର୍ମଗୁଡ଼ିକ ଆମ ନିୟନ୍ତ୍ରଣ ବାହାରେ ଥିବା ଶକ୍ତି ଦ୍ୱାରା...

ଦୁଇଟି ବିବାହର କଥା

ଭାରତରେ ଆମେ ଦୁଇ ପ୍ରକାର ବିବାହ ଦେଖିବାକୁ ପାଉ। ଗୋଟିଏ ବହୁ ଆଡ଼ମ୍ବରରେ ଓ ଅଧିକ ଖର୍ଚ୍ଚରେ କରାଯାଉଥିବାବେଳେ ଅନ୍ୟଟି ସରଳରେ ହୋଇଥାଏ। ବ୍ୟୟବହୁଳ ବିବାହ...

ସଶକ୍ତୀକରଣ ଓ ସୁରକ୍ଷାର ଅଧିକାର

ସ୍ବାଭିମାନ ଓ ସୁରକ୍ଷାର ସହ ବଞ୍ଚତ୍ବା ପ୍ରତ୍ୟେକ ଭାରତୀୟ ନାରୀର ଜନ୍ମଗତ ଅଧିକାର। ରାଷ୍ଟ୍ରର ପ୍ରଥମ ଓ ପ୍ରଧାନ ଦାୟିତ୍ୱ ହେଲା ନାରୀକୁ ସୁରକ୍ଷା ଯୋଗାଇ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image