ବିଧାନସଭାରେ ଗଞ୍ଜାମରୁ ମହିଳା ପ୍ରତିନିଧି ଶୂନ

ଛତ୍ରପୁର,୭ା୬(ସନ୍ତୋଷ ପାଢୀ):ଗଞ୍ଜାମ ଜିଲାରେ ୧୩ଟି ବିଧାନସଭା ନିର୍ବାଚନମଣ୍ଡଳୀ ରହିଛି। ୨୦୨୪ରେ ଉକ୍ତ ୧୩ ବିଧାନସଭା ଆସନ ପାଇଁ ହୋଇଥିବା ନିର୍ବାଚନରେ ଗଞ୍ଜାମ ଜିଲାରେ ଜଣେ ମଧ୍ୟ ମହିଳା ପ୍ରାର୍ଥୀ ବିଜୟୀ ହୋଇପାରିନାହାନ୍ତି। ଫଳରେ ଏଥର ବିଧାନସଭାରେ ଗଞ୍ଜାମ ଜିଲାରୁ ମହିଳା ପ୍ରତିନିଧି ଶୂନ ହୋଇଯାଇଛି। ଗତ ୨୦୧୯ ନିର୍ବାଚନରେ ଗଞ୍ଜାମ ଜିଲାରୁ ୪ ଜଣ ମହିଳା ବିଜୟୀ ହୋଇ ବିଧାୟିକା ହୋଇ ବିଧାନସଭାକୁ ଯାଇଥିଲେ। ସେମାନଙ୍କ ମଧ୍ୟରେ ଥିଲେ ଖଲିକୋଟରୁ ସୂର୍ଯ୍ୟମଣି ବୈଦ୍ୟ, କବିସୂର୍ଯ୍ୟନଗରରୁ ଲତିକା ପ୍ରଧାନ, ଆସିକାରୁ ମଞ୍ଜୁଳା ସ୍ବାଇଁ ଓ ଚିକିଟିରୁ ଉଷା ଦେବୀ। ଏମାନେ ସମସ୍ତେ ବିଜେଡିରୁ ଟିକେଟ ପାଇ ନିର୍ବାଚନ ଲଢ଼ିଥିଲେ। ୨୦୨୪ ନିର୍ବାଚନରେ ମଧ୍ୟ ବିଜେଡି ପକ୍ଷରୁ ୫ ଜଣ ମହିଳାଙ୍କୁ ବିଧାନସଭା ଆସନ ପାଇଁ ଟିକେଟ ଦିଆଯାଇଥିଲା। ତେବେ ଏମାନେ ସମସ୍ତେ ନିର୍ବାଚନରେ ପରାଜିତ ହୋଇଯାଇଛନ୍ତି। ଏମାନେ ହେଲେ ଖଲିକୋଟରୁ ସୂର୍ଯ୍ୟମଣି ବୈଦ୍ୟ, କବିସୂର୍ଯ୍ୟନଗରରୁ ଲତିକା ପ୍ରଧାନ, ଆସିକାରୁ ମଞ୍ଜୁଳା ସ୍ବାଇଁ, ସୋରଡାରୁ ସଂଘମିତ୍ରା ସ୍ବାଇଁ ଓ ସାନଖେମୁଣ୍ଡିରୁ ସୁଲକ୍ଷଣା ଗୀତାଞ୍ଜଳି ଦେବୀ। ଅପରପକ୍ଷରେ ବିଧାନସଭା ଆସନ ପାଇଁ ଭାଜପା ପକ୍ଷରୁ ଜଣେ ମଧ୍ୟ ମହିଳାଙ୍କୁ ଟିକେଟ ଦେଇ ନ ଥିଲା। ତେବେ ଅନ୍ୟଦଳଗୁଡିକ ମହିଳାଙ୍କୁ ପ୍ରାର୍ଥୀ କରିଥିଲେ ମଧ୍ୟ ସମସ୍ତେ ନିର୍ବାଚନ ହାରିଯାଇଛନ୍ତି। ଚଳିତ ନିର୍ବାଚନରେ ଗଞ୍ଜାମ ଜିଲାର ୧୩ ବିଧାନସଭା ଆସନରୁ ୧୧ ଭାଜପା, ଗୋଟିଏ ଲେଖାଏଁ ଆସନ ବିଜେଡି ଓ କଂଗ୍ରେସକୁ ମିଳିଛି। ଏମାନେ ସମସ୍ତେ ପୁରୁଷ। ଅପରପକ୍ଷରେ ପୂର୍ବଥର ଭଳି ଏଥର ମଧ୍ୟ ଗଞ୍ଜାମ ଜିଲାରୁ ଜଣେ ମହିଳା ଏମ୍‌ପି ଭାବେ ନିର୍ବାଚିତ ହୋଇ ଲୋକସଭାକୁ ଯାଇଛନ୍ତି। ଗଞ୍ଜାମ ଜିଲାରେ ବ୍ରହ୍ମପୁର ଓ ଆସିକା ଲୋକସଭା କ୍ଷେତ୍ର ରହିଛି। ଚଳିତ ଥର ଆସିକା ଲୋକସଭା ଆସନରେ ଭାଜପା ପ୍ରାର୍ଥୀ ଅନିତା ଶୁଭଦର୍ଶନୀ ବିଜୟୀ ହୋଇଛନ୍ତି। ଗତ ୨୦୧୯ ନିର୍ବାଚନରେ ମଧ୍ୟ ଏହି ଆସନରୁ ବିଜେଡିର ପ୍ରମିଳା ବିଷୋୟୀ ବିଜୟୀ ହୋଇ ଲୋକସଭାକୁ ଯାଇଥିଲେ। ଏଥର ଆସିକା ଲୋକସଭା କ୍ଷେତ୍ରରେ ଉଭୟ ବିଜେଡି ଓ ଭାଜପା ପକ୍ଷରୁ ମହିଳାଙ୍କୁ ପ୍ରାର୍ଥୀ କରାଯାଇଥିଲା। ଅପରପକ୍ଷରେ ଗଞ୍ଜାମ ଜିଲାପରିଷଦ ଅଧ୍ୟକ୍ଷା ଓ ବ୍ରହ୍ମପୁର ମହାନଗର ନିଗମ ଅଧ୍ୟକ୍ଷା ମହିଳା ଅଛନ୍ତି।