ରାଜ୍ୟରେ ୯,୦୦୮ କୋଭିଡ୍‌ ବେଡ୍‌

ଭୁବନେଶ୍ୱର, ୨୦।୪(ବ୍ୟୁରୋ): ରାଜ୍ୟରେ ସଂକ୍ରମଣ ହୁହୁ ବଢ଼ୁଛି। ଅନୁରୂପ ଭାବେ କୋଭିଡ୍‌ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଅନେକ ସ୍ଥାନରେ ବେଡ୍‌ ଅଭାବ ହେଲାଣି ବୋଲି ଖବର ଆସୁଛି। ବେଡ୍‌ ନ ପାଇଁ ମୃତ୍ୟୁ ହେଉଥିବା ମଧ୍ୟ ଖବର ପ୍ରକାଶ ପାଉଛି। ଆଗକୁ ଏହି ସଂକ୍ରମଣ ଆହୁରି ବୃଦ୍ଧି ପାଇବାକୁ ଥିବାବେଳେ ସ୍ବାସ୍ଥ୍ୟ ଭିତ୍ତିଭୂମି ପ୍ରଭାବିତ ହେବ ବୋଲି କୁହାଯାଉଛି। ଏପରିସ୍ଥିତିରେ ସୋମବାର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କରୋନା ଚିକିତ୍ସାର ସ୍ଥିତି ନେଇ ସ୍ପଷ୍ଟ କରାଯାଇଛି। ଏ ସଂକ୍ରାନ୍ତରେ ସୂଚନା ଦେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର କହିଛନ୍ତି, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନା ରୋଗୀଙ୍କ ପାଇଁ ୯,୦୦୮ଟି ବେଡ୍‌ ପ୍ରସ୍ତୁତ ରହିଛି। ଘରୋଇ ହସ୍ପିଟାଲରେ ୪,୬୪୦ ବେଡ୍‌ ଓ ସରକାରୀ ହସ୍ପିଟାଲରେ ୪,୩୬୮ ବେଡ୍‌ ରହିଛି। ୧୭.୫୦% ବେଡ୍‌ରେ ସମୁଦାୟ ୧,୫୭୬ଜଣ ରୋଗୀ ଅଛନ୍ତି। ଘରୋଇ ହସ୍ପିଟାଲରେ ୭୫୩ ରୋଗୀ ରହିଥିବାବେଳେ ସରକାରୀ ହସ୍ପିଟାଲରେ ୮୨୩ ରୋଗୀ ରହିଛନ୍ତି। ସେହିପରି ରାଜ୍ୟରେ ମୋଟ ଆଇସିୟୁ ବେଡ୍‌ ସଂଖ୍ୟା ୨୦୧୮ ଥିବାବେଳେ ରୋଗୀ ଅଛନ୍ତି ୪୨୪। ଘରୋଇ ହସ୍ପିଟାଲରେ ୧,୪୯୪ ଆଇସିୟୁ ରହିଥିବା ବେଳେ ରୋଗୀ ଅଛନ୍ତି ୩୨୦। ସରକାରୀ ହସ୍ପିଟାଲରେ ୫୨୪ ଆଇସିୟୁ ଥିବାବେଳେ ରୋଗୀ ଅଛନ୍ତି ୧୦୪ଜଣ ଅର୍ଥାତ୍‌ ସମୁଦାୟ ବେଡ୍‌ର ୨୧.୧ ପ୍ରତିଶତ। ମୋଟ ୭୮୨ଟି ଭେଣ୍ଟିଲେଟର ରହିଥିବାବେଳେ ସେଥିରେ ୫୯ଜଣ ରୋଗୀ ରହି ଚିକିତ୍ସିତ ହେଉଛନ୍ତି। ରାଜ୍ୟର ଭେଣ୍ଟିଲେଟର ତୁଳନାରେ ରୋଗୀଙ୍କ ସଂଖ୍ୟା ମାତ୍ର ୭.୫୪ ପ୍ରତିଶତ ରହିଛି। ଏଥିମଧ୍ୟରେ ଘରୋଇ ହସ୍ପିଟାଲରେ ୬୦୩ ଭେଣ୍ଟିଲେଟର ରହିଥିବାବେଳେ ୪୧ଜଣ ରୋଗୀ ଅଛନ୍ତି। ସରକାରୀ ହସ୍ପିଟାଲରେ ୧୭୯ ଭେଣ୍ଟିଲେଟର ରହିଥିବାବେଳେ ୧୮ଜଣ ରୋଗୀ ଅଛନ୍ତି। ସେପଟେ କେତେକ ଜିଲାରେ ଟିଏମ୍‌ସି ଖୋଲିଛି। ଛତିଶଗଡ଼ ସୀମାନ୍ତ ଜିଲାରେ ଆବଶ୍ୟକତା ଅନୁସାରେ ଟିଏମ୍‌ସି ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଗକୁ ଦୈନିକ ୫୦ହଜାର ଟେଷ୍ଟ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

Share