କୋଠା ଅଛି, ପାହାଚ ନାହିଁ

ସୋନପୁର,୯।୭(ମୃତ୍ୟୁଞ୍ଜୟ ଶତପଥୀ)ରାଜ୍ୟ ସରକାର ୫-ଟିରେ ହାଇସ୍କୁଲକୁ ସାମିଲ କରି ଏହାର ରୁପାନ୍ତରଣ କରୁଛନ୍ତି। ସେହି କ୍ରମରେ ଦ୍ୱିତୀୟ ପର୍ଯ୍ୟାୟରେ ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଅନ୍ତର୍ଗତ ଶଙ୍କରାସ୍ଥିତ ବ୍ରଜ ବିହାରୀ ହାଇସ୍କୁଲ ରୂପାନ୍ତରିତ ହୋଇଛି। ୧ ବର୍ଷ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଲୋକାର୍ପଣ କରି ସାରିଛନ୍ତି। ଏହିସବୁ ବିଦ୍ୟାଳୟରେ ସ୍ମାର୍ଟ ଶ୍ରେଣୀଗୃହ, କମ୍ପ୍ୟୁଟର, ଲାଇବ୍ରେରୀ, ବିଜ୍ଞାନ ଲାବ୍ରୋଟୋରୀର ବ୍ୟବସ୍ଥା ହୋଇଛି। ସଜେଇ ହୋଇଛି ବିଦ୍ୟାଳୟ, କିନ୍ତୁ ଶିକ୍ଷା ବ୍ୟବସ୍ଥା ସୁଧୁରି ପାରିନି। ପ୍ରଥମରୁ ଦଶମ ଶ୍ରେଣୀର ପ୍ରାୟ ୪୨୨ ଜଣ ଛାତ୍ରୀଛାତ୍ର ଏଠାରେ ପାଠ ପଢୁଛନ୍ତି। କିନ୍ତୁ ବାଳକ ଶୌଚାଳୟର କାମ ଏଯାଏ ସରିନି। ବିଦ୍ୟାଳୟରେ ପ୍ରଥମ ସୋପାନ କୋଠା ନିର୍ମାଣ ହୋଇଛି। ଏଥିରେ ୩ଟି ଶ୍ରେଣୀଗୃହ ରହିଛି। କିନ୍ତୁ କୋଠାକୁ ପାହାଚ ନାହିଁ। ଫଳରେ ଏହା ବ୍ୟବହାର ଉପଯୋଗୀ ହୋଇପାରୁନି। ସେହିପରି ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ ସମେତ ସଂସ୍କୃତ ଶିକ୍ଷକ, ୨ ଜଣ କଳା ଶିକ୍ଷକ, କ୍ରୀଡା ଶିକ୍ଷକ ପଦବୀ ଖାଲି ପଡିଛି। ୩ଟି ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ମାତ୍ର ୨ ଜଣ ଶିକ୍ଷକ ପାଠ ପଢାଉଛନ୍ତି। ଏଭଳି ସ୍ଥିତିରେ ଗ୍ରାମାଞ୍ଚଳର ଛାତ୍ରୀଛାତ୍ର କିଭଳି ପାଠ ପଢିବେ ଓ ସ୍ମାର୍ଟ ହେବେ ସେନେଇ ଅଭିଭାବକ ଚିନ୍ତାରେ ଅଛନ୍ତି। ଗୁରୁବାର ଦିଶା ବୈଠକରେ ବଲାଙ୍ଗୀର ଏମ୍‌ପି ସଙ୍ଗୀତା କୁମାରୀ ସିଂହଦେଓ ଏହି ପ୍ରସଙ୍ଗ ଉଠାଇ ତ୍ୱରିତ ପଦକ୍ଷେପ ନେବାକୁ କହିଥିଲେ। ବିଦ୍ୟାଳୟର ଅସମ୍ପୂର୍ଣ୍ଣ କାମ ଶୀଘ୍ର ସମ୍ପୂର୍ଣ୍ଣ କରିବା ସହ ଖାଲି ପଡିଥିବା ଶିକ୍ଷକ ପଦବୀ ପୂରଣ କରିବା ପାଇଁ ଶଙ୍କରା ଗ୍ରାମବାସୀ ଓ ଅଭିଭାବକ ଦାବି କରିଛନ୍ତି।