ବହୁଛି ପରିବର୍ତ୍ତନର ହାଓ୍ବା

କେନ୍ଦୁଝର,୯ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଟ୍ରକ୍‌ ମାଲିକ ସଂଘ ନିର୍ବାଚନ ଆଉ କିଛିଦିନ ରହିଲା। ତେବେ ଏହା ମଧ୍ୟରେ ହାଇକୋର୍ଟଙ୍କ ଏକ ନିର୍ବାଚନ ସଂକ୍ରାନ୍ତୀୟ ଶୁଣାଣି ଆସନ୍ତା ୧୨ ତାରିଖକୁ ଘୁଞ୍ଚିଥିବାରୁ ନିର୍ବାଚନକୁ ନେଇ ନାନା କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଅଦ୍ୟାବଧି ଚୂଡାନ୍ତ ପ୍ରାର୍ଥୀଙ୍କ ତାଲିକା ଘୋଷଣା ହୋଇନାହିଁ। ତେବେ ଆସନ୍ତା ୨୪ ତାରିଖରେ ନିର୍ବାଚନ ହେବାକୁଥିବା ବେଳେ ୧୨ ତାରିଖରେ ହାଇକୋର୍ଟଙ୍କ ଶୁଣାଣିକୁ ସମସ୍ତେ ଅପେକ୍ଷା କରିଛନ୍ତି।
ଠିକ୍‌ ସମୟରେ ନିର୍ବାଚନ ନ ହେବା ଏବଂ ବହୁ ବାଦବିବାଦ ପରେ ନିର୍ବାଚନ ହେବାକୁ ଥିବାରୁ ଟ୍ରକ ମାଲିକମାନେ ନିର୍ବାଚନକୁ ଚାହିଁ ରହିଛନ୍ତି। ଟ୍ରକ ଲୋଡିଂ ସମସ୍ୟା, ଟୋକନ କଳାବଜାରୀ, ଜଣେ ଜଣେ କାର୍ଯ୍ୟକର୍ତ୍ତା ବହୁ  ସଂଖ୍ୟାରେ ଲୋଡିଂ ପାଇଥିବା ବେଳେ ଅନେକ ଲୋଡିଂ ନ ପାଇ ଚିନ୍ତାଗ୍ରସ୍ତ ହୋଇ ଟ୍ରକ୍‌ ବିକିବା ଭଳି ପରିସ୍ଥିତି ଚଳିତ ନିର୍ବାଚନ ପାଇଁ ପ୍ରମୁଖ ମୁଦ୍ଦା ହେବ ବୋଲି ମତପ୍ରକାଶ ପାଉଛି। ଏଣୁ ଅନେକ ସଦସ୍ୟ ଚଳିତ ନିର୍ବାଚନରେ ପରିବର୍ତ୍ତନ  ଆଶା କରିଥିବା ବେଳେ ପୁରୁଣା କର୍ମକର୍ତ୍ତାମାନେ ଟ୍ରକ ମାଲିକମାନଙ୍କ ପାଇଁ କରିଥିବା ଲଢ଼େଇ, ଆନ୍ଦୋଳନ ତଥା ଲୋଡିଂ ବ୍ୟବସ୍ଥାକୁ ଆୟୁଧ କରି ନିର୍ବାଚନ ବୈତରଣୀ ପାର ହେବାକୁ ବସିଛନ୍ତି।
ସୂଚନାଯୋଗ୍ୟ, କେନ୍ଦୁଝର ଜିଲା ଟ୍ରକ୍‌ମାଲିକ ସଂଘ ଏକ ବିତ୍ତଶାଳୀ ସଂଘ। ପାଖାପାଖି ୬ ହଜାର ସଦସ୍ୟ ରହିଥିବା ବେଳେ ବିଶେଷକରି ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଖଣି ଉପରେ ଏହି ସଂଘର ସଦସ୍ୟମାନେ ନିର୍ଭରଶୀଳ। ତେବେ ବହୁ ଟ୍ରକ ମାଲିକ ନିୟମିତ ଲୋଡିଂ ପାଉ ନ ଥିବା ଏବଂ ଲୋଡିଂ ସ୍ଲିପ କଳାବଜାରୀ ହେଉଥିବାରୁ ଅନେକ ସମୟରେ ବିବାଦ/ଗଣ୍ଡଗୋଳ ଦେଖାଦେଇଥାଏ। ଏଣୁ ଏହି ନିର୍ବାଚନ ଘୋଷଣା ପରେ ମାଲିକମାନେ ନୂତନ କାର୍ଯ୍ୟକର୍ତ୍ତା ଗଠନ କରିବା ପାଇଁ ସଜବାଜ ହୋଇପଡ଼ିଛନ୍ତି।
Share