କଟକ,୨୫।୧(ଶିଳ୍ପା ପ୍ରିୟଦର୍ଶିନୀ):କଟକ ବିଜେଡି ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଗୁରୁବାର ନେତାଜୀ ଜୟନ୍ତୀରେ ଆୟୋଜିତ ମଶାଲ ଶୋଭାଯାତ୍ରାରେ ମେୟର ସୁବାସ ସିଂ ଓ ଚୌଦ୍ୱାର-କଟକ ବିଧାୟକ ସୌଭିକ୍ ବିଶ୍ୱାଳ ଉପସ୍ଥିତ ନଥିଲେ । ଦଳୀୟ କାର୍ଯ୍ୟକ୍ରମରୁ ଉଭୟ ନେତା ନିଜକୁ ଦୂରେଇ ରଖୁଥିବା ଓ ବିଜେଡିରେ କନ୍ଦଳ ଥିବା ନେଇ ବେଶ ଚର୍ଚ୍ଚା ହୋଇଥିଲା।
ଏପରିକି ଶୋଭାଯାତ୍ରା ପରେ ରାଜ୍ୟସଭା ସଦସ୍ୟ ଦେବାଶିଷଙ୍କ ଘରେ ଯୁବ ନେତା ମେଳି ହୋଇଥିଲେ ମଧ୍ୟ ବିଧାୟକ ସୌଭିକ୍ ଉପସ୍ଥିତ ନଥିବା ଓ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ନ ଦେବା ପ୍ରସଙ୍ଗରେ ବିଧାୟକ ସୌଭିକ୍ ଶୁକ୍ରବାର ବାରବାଟୀ ଷ୍ଟାଡ଼ିୟମସ୍ଥିତ ଓସିଏ ସମ୍ମିଳନୀକକ୍ଷରେ ଆୟୋଜିତ ଏକ ବୈଠକରେ ଯୋଗ ଦେବା ପରେ ଖବରଦାତାଙ୍କ ପ୍ରଶ୍ନରେ ପ୍ରତ୍ରିକ୍ରିୟା ରଖି କହିଛନ୍ତି, ଦୁଇଟି ଅନ୍ୟ କାର୍ଯ୍ୟକ୍ରମ ଥିବାରୁ ଶୋଭାଯାତ୍ରାରେ ଯୋଗ ଦେଇ ପାରି ନଥିଲି। ଦେବାଶିଷ ସାମନ୍ତରାୟଙ୍କ ଘରକୁ ଯୁବନେତା ଯିବା ବିଷୟରେ ମୁଁ ଅବଗତ ନଥିଲି ସେଥିପାଇଁ ଯାଇପାରିନି। ଅନ୍ୟପକ୍ଷେ ମେୟର ସୁବାସ ଏହି ସମସ୍ତ ପ୍ରସଙ୍ଗରେ ପ୍ରତିକ୍ରିୟା ଦେବାକୁ ସିଧାସଳଖ ମନା କରିଥିଲେ।
କଟକ ବିଜେଡିରେ ଗୋଷ୍ଠୀକନ୍ଦଳ ଧୀରେ ଧୀରେ ସାମ୍ନାକୁ ଆସୁଥିବାବେଳେ ରାଜ୍ୟ ସଭା ସଦସ୍ୟ ଦେବାଶିଷ ସାମନ୍ତରାୟ ଏହାକୁ ଖଣ୍ଡନ କରିଛନ୍ତି। ଏଥିସହ କଟକ ରାଜାବଗିଚାଠାରେ ଥିବା ତାଙ୍କ ବାସଗୃହରେ ଯୁବନେତାଙ୍କ ମେଳି ପ୍ରସଙ୍ଗରେ ଦେବାଶିଷ ରାଜାବଗିଚାସ୍ଥିତ କାର୍ଯ୍ୟାଳୟରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଦଳକୁ ଏହି ଯୁବପିଢ଼ି ଆଗେଇ ନେବେ। ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ସ୍ବପ୍ନ ସାକାର କରିବା ପାଇଁ ଏମାନେ ମଙ୍ଗ ଧରିବେ ବୋଲି ଦେବାଶିଷ କହିଛନ୍ତି।