ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୦ା୯(ବ୍ୟୁରୋ):ଆସନ୍ତା ୧୩ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର, ଆନ୍ଧ୍ର ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେପ୍ଟେମ୍ବର ୧୨ ତାରିଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ୧୩ ତାରିଖରେ ଏହା ଲଘୁଚାପ ରୂପ ନେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଲଘୁଚାପ ପ୍ରଭାବରେ ୧୨ ତାରିଖ ରାତ୍ରିରୁ ବର୍ଷା ଆରମ୍ଭ ହେବ। ୧୪ ତାରିଖ ଯାଏ ବର୍ଷା ଲାଗି ରହିବ। ଦକ୍ଷିଣ ଓଡ଼ିଶାର ବିଶେଷକରି ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡା, ସୁନ୍ଦରଗଡ, କନ୍ଧମାଳ, ପୁରୀ, କେନ୍ଦୁଝର ଆଦି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଏହି ସମୟରେ ଉପକୂଳ ଓଡ଼ିଶାରେ ଆକାଶ ମେଘାଚ୍ଛନ୍ନ ରହିବା ସହ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଅନୁମାନ କରାଯାଇଛି। ସମ୍ଭାବ୍ୟ ଲଘୁଚାପ ବର୍ଷାକୁ ଦେଖି ଜିଲାପାଳମାନଙ୍କୁ ସତର୍କ ରହିବା ଲାଗି ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ବର୍ଷା ଉପରେ ନଜର ରଖିବା ସହ ଆଗୁଆ ପ୍ରସ୍ତୁତି କରିବାକୁ କୁହାଯାଇଛି।
ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର, ଭଦ୍ରକ, କଟକ, ଜଗତ୍‌ସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ସମ୍ବଲପୁର, ସୋନପୁର, ବରଗଡ଼, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡ଼ଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ କେନ୍ଦୁଝର ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ କେନ୍ଦ୍ରାପଡା, କନ୍ଧମାଳ, ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡ଼ଘଡି ସହ ପ୍ରବଳ ବର୍ଷା ହେବ ବୋଲି ସତର୍କ ସୂଚନା ଜାରି କରାଯାଇଛି।

Share