ଦୂବଘାଟି, ଟେଙ୍ଗେରୀ ଗ୍ରାମବାସୀଙ୍କୁ ଚୁଆ ଭରସା

ଫୁଲବାଣୀ ଅଫିସ, ୧୯ା୧୧: କନ୍ଧମାଳ ଜିଲା ଏକ ପାହାଡିଆ ଅଞ୍ଚଳ ହୋଇଥିବାରୁ ଏଠାରେ ପାଣିର ଘୋର ଅଭାବ। ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦେବା ପାଇଁ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ(ଆରଡବ୍ଲ୍ୟୁଏସ୍‌ଏସ୍‌) ପକ୍ଷରୁ ବହୁ ପ୍ରକଳ୍ପ କରାଯାଇଛି। ହେଲେ ଅନେକ ସମୟରେ ଏସବୁ ଅକାମୀ ହୋଇପଡୁଛି। ଫଳରେ ଲୋକେ ସବୁ ସମୟରେ ଜଳ କଷ୍ଟରେ ରହୁଛନ୍ତି। ତେଣୁ ଚୂଆ ଏବଂ ନାଳରୁ ପାଣି ସଂଗ୍ରହ କରି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ଫୁଲବାଣୀ ବ୍ଲକ ଗୁମାଗଡ ପଞ୍ଚାୟତରେ ଏଭଳି ଘଟଣା ଦେଖିବାକୁ ମିଳିଛି। ପାଣି ପାଇଁ ଏହି ପଞ୍ଚାୟତର ଦୂବଘାଟି ଏବଂ ଟେଙ୍ଗେରୀ ଗ୍ରାମବାସୀ ନାହିଁ ନ ଥିବା ହଇରାଣ ହେଉଛନ୍ତି।
ଆରଡବ୍ଲ୍ୟୁଏସ୍‌ଏସ୍‌ ବିଭାଗ ପକ୍ଷରୁ ଦୂବଘାଟି ଓ ଟେଙ୍ଗେରୀ ଗ୍ରାମରେ ସୋଲାର ପାନୀୟ ଜଳ ପ୍ରକଳ୍ପ ହୋଇଥିଲା। ସେଠାରୁ ଲୋକେ ପାଣି ନେଉଥିଲେ। ଦୁବଘାଟି ଗ୍ରାମର ଉପର ସାହିରେ ବର୍ଷେ ହେବ ଏହି ପ୍ରକଳ୍ପ ହୋଇଥିଲା। ୩/୪ ମାସ ଲୋକେ ପାଣି ପାଇଲେ। ଏହାପରେ ପ୍ରକଳ୍ପ ଖରାପ ହୋଇଗଲା। ପାଖାପାଖି ୯ ମାସ ହେବ ଏହା ଅଚଳ ପଡିଛି। ସେହିପରି ଟେଙ୍ଗେରି ଗ୍ରାମରେ ୨ ବର୍ଷ ହେବ ପ୍ରକଳ୍ପ କରାଯାଇ ପାଣି ଦିଆଯାଉଥିଲା। ତେବେ ଗତ ୬ ମାସ ହେଲା ସୋଲାର ଠିକ ଭାବେ କାମ କରୁ ନ ଥିବାରୁ ପାଣି ଉଠି ପାରୁନି। ଅଳ୍ପ ପରିମାଣର ପାଣି ସେଠାରେ ମିଳୁଛି। ଲୋକେ ପାଣି ପାଇଁ ବହୁ ହଇରାଣ ହେଉଛନ୍ତି। ଅନ୍ୟପକ୍ଷରେ ଦୁବଘାଟି ଗ୍ରାମରେ ଥିବା ନଳକୂପ ଅଚଳ। ପ୍ରତି ଦୁଇ ଘଣ୍ଟାରେ ଥରେ ଅଳ୍ପ ସମୟ ପାଇଁ ପାଣି ବାହାରୁଛି। ତାହା ପୁଣି ଗୋଳିଆ। କିଛି ଦିନ ତଳେ ଏହାର ମରାମତି କରାଯାଇଛି। ଗ୍ରାମବାସୀ କହିଛନ୍ତି ପ୍ରଥମେ ପ୍ରକଳ୍ପ ଯୋଗେ ପାଣି ମିଳିବାରୁ ବହୁତ ଖୁସି ହୋଇଥିଲୁ। କିଛି ଦିନ ପରେ ଏହା ଅଚଳ ହୋଇଗଲା। ପୂର୍ବ ପରି ପୁଣି ଏବେ ଚୂଆ ଏବଂ ନାଳ ପାଣି ବ୍ୟବହାର କରୁଛୁ। ଏଥିପାଇଁ ଅନେକ ସମୟରେ ରୋଗରେ ପଡୁଛୁ। ତୁରନ୍ତ ପାନୀୟ ଜଳ ସମସ୍ୟାର ସମାଧାନ କରିବାକୁ ଦୁବଘାଟି ଗ୍ରାମର ଚିତ୍ତରଞ୍ଜନ କହଁର, ମୃତ୍ୟୁଞ୍ଜୟ କହଁର, ବିଜୟ କହଁର, ବିଦ୍ୟାଧର କହଁର, ଟେଙ୍ଗେରି ଗ୍ରାମର ପ୍ରଦୀପ କହଁର, ଚକ୍ରଧର କହଁର ପ୍ରମୁଖ ପ୍ରକାଶ କରିଛନ୍ତି। ଗୁମାଗଡ ସରପଞ୍ଚ ପ୍ରତାପ ଚନ୍ଦ୍ର କହଁର କହିଛନ୍ତି, ପାନୀୟ ଜଳ ସମସ୍ୟା ଏହି ଦୁଇଟି ଗାଁରେ ପ୍ରକଳ୍ପ ଅଚଳ ଯୋଗୁ ହୋଇଛି। ସୋଲାର ସଜାଡିବାକୁ ବାରମ୍ବାର ଫୋନ ଯୋଗେ ଡାକିଲେ ଦିନ ଗଡ଼ାଇ ଚାଲୁଛନ୍ତି। ନଳକୂପ କିଛି ଦିନ ହେବ ମରାମତି ହୋଇଛି। ସେଥିରୁ ଆବଶ୍ୟକ ଅନୁଯାୟୀ ପାଣି ମିଳୁନାହିଁା ତୁରନ୍ତ ଅଚଳ ପ୍ରକଳ୍ପ ମରାମତି ହେଲେ ଲୋକେ ପାଣି ପାଇ ପାରିବେ ବୋଲି ସରପଞ୍ଚ କହିଛନ୍ତି। ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ କୁନାମୀ ହେମ୍ବ୍ରମଙ୍କୁ ପଚାରିବାରୁ ଘଟଣା ବିଷୟରେ ସେ ଜାଣି ନ ଥିବା କହିଥିଲେ। ସମସ୍ୟା ସମାଧାନ କରାଯାଇ ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ଯନ୍ତ୍ରୀ ହେମ୍ରମ କହିଛନ୍ତି।