Categories: ଜାତୀୟ

ସିଙ୍ଗାପୁର ଷ୍ଟ୍ରେନ୍‌ରେ ତୃତୀୟ ଲହର ଆଶଙ୍କା

ନୂଆଦିଲ୍ଲୀ, ୧୯ା୫: ସିଙ୍ଗାପୁରରେ ଚିହ୍ନଟ ହୋଇଥିବା କରୋନା ଭାଇରସ୍‌ର ନୂଆ ଷ୍ଟ୍ରେନ୍‌ ଭାରତରେ ତୃତୀୟ ଲହରକୁ ଡାକିଆଣିପାରେ। ତେଣୁ ତୁରନ୍ତ ପଦକ୍ଷେପ ନିଆଯାଇ ସିଙ୍ଗାପୁର ସହ ସମସ୍ତ ବିମାନ ଚଳାଚଳ ବନ୍ଦ କରାଯାଉ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଦାବି କରିଛନ୍ତି।
କେଜ୍‌ରିଓ୍ବ୍‌ାଲଙ୍କ ମତରେ ସିଙ୍ଗାପୁର ଷ୍ଟ୍ରେନ୍‌ରେ ଶିଶୁମାନେ ଅଧିକ ସଂକ୍ରମିତ ହେବାର ଆଶଙ୍କା ରହିଛି। ତେଣୁ ପିଲାମାନଙ୍କ ଟିକାକରଣ ପାଇଁ କେନ୍ଦ୍ର ସରକାର ଯୁଦ୍ଧକାଳୀନ ଭିତ୍ତିରେ ଭାକ୍ସିନ ପ୍ରସ୍ତୁତ କରନ୍ତୁ ବୋଲି ସେ ଟୁଇଟ୍‌ କରିଛନ୍ତି। ସିଙ୍ଗାପୁରରେ କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍‌ ଦେଖାଯିବା ପରେ ଏଥିରେ ଶିଶୁମାନେ ଆକ୍ରାନ୍ତ ହେବାର ଆଶଙ୍କା ରହିଥିବା ସେଠାକାର ଶିକ୍ଷା ମନ୍ତ୍ରୀ ଚାନ୍‌ ଚୁନ୍‌ ସିଙ୍ଗ୍‌ ମାନିଛନ୍ତି। ତେଣୁ ବୁଧବାରଠାରୁ ମେ ୨୮ ପର୍ଯ୍ୟନ୍ତ ସେଠାରେ ସମସ୍ତ ସ୍କୁଲ ବନ୍ଦ କରାଯିବାକୁ ଘୋଷଣା କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଭାରତରୁ ସିଙ୍ଗାପୁର ଯାଉଥିବା ଓ ସେଠାରୁ ଆସୁଥିବା ବିମାନ ଚଳାଚଳ ଉପରେ କଟକଣା ଲଗାଇବାକୁ କେଜ୍‌ରିଓ୍ବାଲ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି।

Share