ବ୍ଲଡ୍‌ ବ୍ୟାଙ୍କରେ ରକ୍ତ ଅଭାବ ଆଶଙ୍କା

ସମ୍ବଲପୁର,୨୬।୪(ବ୍ୟୁରୋ): ରାଜ୍ୟର କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହାର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ସ୍ବାସ୍ଥ୍ୟସେବା ଭଳି ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଉଛି। ମେ ୧ ତାରିଖରୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ଯୁବବର୍ଗ ଟିକା ନେଇପାରିବେ ବୋଲି ଅନୁମତି ମିଳିଛି। ଏହାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଉଛି। ଯୁବବର୍ଗଙ୍କ ମଧ୍ୟରେ ଟିକା ନେବା ପାଇଁ ବେଶ୍‌ ଉତ୍ସାହ ପରିଲକ୍ଷିତ ହୋଇଛି। ଯଦି ବହୁସଂଖ୍ୟାରେ ଯୁବବର୍ଗ ଏକକାଳୀନ ଟିକା ନେବେ ତା’ହେଲେ ଆଗାମୀ ଦିନରେ ଏହାର ପ୍ରଭାବ ରକ୍ତ ଭଣ୍ଡାରଗୁଡିକ ଉପରେ ପଡିପାରେ। ଏପରି କି ରାଜ୍ୟରେ ଜରୁରିକାଳୀନ ରୋଗୀଙ୍କ ପାଇଁ ରକ୍ତ ଅଭାବ ଦେଖାଦେଇ ପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।
ଏ ସମ୍ପର୍କରେ ବୁର୍ଲା ଭିମ୍‌ସାର ବ୍ଲଡ୍‌ ବ୍ୟାଙ୍କ ଅଧିକାରୀ ଦେବାଶିଷ ମିଶ୍ର କହିଛନ୍ତି ଯେ ରକ୍ତଦାନ ଶିବିରଗୁଡିକରେ ଅଧିକ ସଂଖ୍ୟାରେ ଯୁବବର୍ଗ ରକ୍ତଦାନ କରିଥାନ୍ତି। ରାଜ୍ୟରେ ରକ୍ତ ଅଭାବ ଦୂର ପାଇଁ କୋଭିଡ୍‌ ସମୟରେ ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଆୟୋଜନ କରାଯାଉଛି। ଏଥିଯୋଗୁ ରକ୍ତଭଣ୍ଡାରରେ ସମସ୍ୟା ଉପୁଜିନାହିଁ। କିନ୍ତୁ ଶଟ୍‌ଡାଉନ ଯୋଗୁ ରକ୍ତଭଣ୍ଡାରରେ ରକ୍ତ କମିବାରେ ଲାଗିଛି। ସଙ୍କଟାପନ୍ନ ରୋଗୀଙ୍କୁ ରକ୍ତ ଦିଆଯାଉଛି। ରକ୍ତ ଦିଆଗଲେ ତାଙ୍କ ପରିବାର ଲୋକଙ୍କୁ ରକ୍ତ ଦେବାକୁ କୁହାଯାଇଥାଏ। ଏବେ ଶଟ୍‌ଡାଉନ ଯୋଗୁ ପରିବାର କିମ୍ବା ସମ୍ପର୍କୀୟମାନେ ଆସି ପାରୁନାହାନ୍ତି। ତେଣୁ ସମସ୍ୟା ଦେଖାଦେଇଛି। ଅନ୍ୟପକ୍ଷରେ ମେ’ ପହିଲାରୁ ଯୁବବର୍ଗଙ୍କୁ ଟିକାକରଣ କରାଯିବ। ଯେ କୌଣସି ଟିକା ନେବାର ୨୮ ଦିନ ପର୍ଯ୍ୟନ୍ତ ସମ୍ପୃକ୍ତ ବ୍ୟକ୍ତିଙ୍କଠାରୁ ରକ୍ତ ସଂଗ୍ରହ କରାଯାଇ ପାରିବ ନାହିଁ। ଏହି କାରଣରୁ ରକ୍ତଭଣ୍ଡାରରେ ରକ୍ତ ସମସ୍ୟା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ପ୍ରାୟ ଏକମାସ ପରେ ପରିସ୍ଥିତି ସୁଧୁରିଯିବ ବୋଲି ଆଶା କରାଯାଉଛି। ଏବେ ୨୦୦ ୟୁନିଟ୍‌ ରକ୍ତ ଗଚ୍ଛିତ ରହିଛି। ପ୍ରତିଦିନ ୭୦ରୁ ୮୦ ୟୁନିଟ୍‌ ରକ୍ତ ଭିମ୍‌ସାରରେ ଆବଶ୍ୟକ ପଡିଥାଏ। ରକ୍ତ ଅଭାବ ଦୂର ପାଇଁ ଏପ୍ରିଲ ଶେଷ ସୁଦ୍ଧା ୫ଟି ଶିବିର କରାଯିବ। ସେହିପରି ଜିଲା ସଦର ଡାକ୍ତରଖାନା ବ୍ଲଡ ବ୍ୟାଙ୍କର ଡାକ୍ତର କଳ୍ପେଶ କକଡ କହିଛନ୍ତ, ସମ୍ବଲପୁର ରକ୍ତଭଣ୍ଡାରରେ ମଧ୍ୟ ରକ୍ତ ଅଭାବ ରହିଥିଲା। ଏଠାରେ ପ୍ରାୟ ୩୦ ୟୁନିଟ୍‌ ରକ୍ତ ରହିଥିଲା। ରବିବାର ଦୁଇଟି ସ୍ଥାନରେ ରକ୍ତଦାନ ଶିବିର କରାଯାଇଛି। ଗୋଟିଏ ଶିବିରରୁ ୬୧ ଓ ଅନ୍ୟ ଏକ ଶିବିରରୁ ୫୦କୁ ମିଶାଇ ମୋଟ ୧୧୧ ୟୁନିଟ୍‌ ସଂଗ୍ରହ ହୋଇଥିଲା। ଏବେ ମୋଟ ୧୪୦ ୟୁନିଟ୍‌ ରହିଛି। ଯାହା ଆଗାମୀ ୫ ଦିନ ମଧ୍ୟରେ ସରିଯିବ। ଏପ୍ରିଲ ଶେଷ ସୁଦ୍ଧା ୨ଟି ଶିବିର କରିବାର ଯୋଜନା ରହିଛି ବୋଲି କହିଥିଲେ। ସୁଚନାଯୋଗ୍ୟ, କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି। ସ୍ବେଚ୍ଛାକୃତ ରକ୍ତଦାନ କରିବାକୁ ଭୟ କରୁଛନ୍ତି। ଏହାର ପ୍ରଭାବ ମଧ୍ୟ ରକ୍ତଭଣ୍ଡାର ଉପରେ ପଡୁଛି ବୋଲି କୁହାଯାଉଛି।

Share