ଭତ୍ତା ପାଇଁ ବାର୍ଦ୍ଧକ୍ୟ ସାଜିଛି ବାଧକ

ବିଶୋଇ,୧୦ା୨(ଡି.ଏନ.ଏ.): ଆଖିକୁ ଭଲ ଦିଶୁନି। ଚାଲିବା ପାଇଁ ପାଦରେ ଆଉ ଜୁ ନାହିଁ। ଏଭଳି ପରିସ୍ଥିତିରେ ସରକାରଙ୍କଠାରୁ ମିଳୁଥିବା ଭତ୍ତା ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତିି ଜଣେ ବୃଦ୍ଧା। ୮୦ ବର୍ଷରେ ପାଦ ଥାପିଥିବା ମୟୂରଭଞ୍ଜ ଜିଲା ବିଶୋଇ ବ୍ଲକ ଖଡ଼ମବେଡା ପଞ୍ଚାୟତ ଅନ୍ତର୍ଗତ ମୂଷାମାରି ଗ୍ରାମ ଗାଣ୍ଡେସାହିର ସନାମଣି ପାତ୍ରଙ୍କ କ୍ଷେତ୍ରରେ ଭତ୍ତା ଟଙ୍କା ପାଇବା ପାଇଁ ବାର୍ଦ୍ଧକ୍ୟ ବାଧକ ସାଜିଛି।
ସୂଚନାଥାଉକି, ପୂର୍ବରୁ ପଞ୍ଚାୟତ କାର୍ଯ୍ୟାଳୟରେ ହିତାଧିକାରୀଙ୍କ ହାତକୁ ଭତ୍ତା ଟଙ୍କା ଦେବାର ବ୍ୟବସ୍ଥା ରହିଥିବା ବେଳେ ନୂଆ ନିୟମ ଅନୁଯାୟୀ ବର୍ତ୍ତମାନ ଭତ୍ତା ଟଙ୍କା ପଞ୍ଚାୟତ କାର୍ଯ୍ୟାଳୟ ପରିବର୍ତ୍ତେ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ଯାଉଛି। ତେବେ, ବାର୍ଦ୍ଧକ୍ୟ ଜନିତ କାରଣରୁ ସନାମଣିଙ୍କ ଆଖିକୁ ଭଲ ଦିଶୁ ନ ଥିବା ବେଳେ ଚାଲିବା ପାଇଁ ଆଶା ବାଡ଼ିର ସାହାରା ନେବାକୁ ପଡୁଛି। ଏଭଳିି ପରିସ୍ଥିତିରେ ବ୍ୟାଙ୍କକୁ ଯାଇ ଲମ୍ବା ଲାଇନ ଲଗାଇ ଭତ୍ତା ଟଙ୍କା ଆଣିବା ପାଇଁ ସନାମଣି ଦହଗଞ୍ଜ ହେଉଛନ୍ତି। ସେହିପରି ବ୍ୟାଙ୍କମିତ୍ର ଜରିଆରେ ଭତ୍ତାଟଙ୍କା ପଞ୍ଚାୟତ କାର୍ଯ୍ୟାଳୟରେ ପ୍ରଦାନ କରାଯାଉଥିଲେ ମଧ୍ୟ ସନାମଣିଙ୍କ ଘର ଖଡ଼ମବେଡ଼ା ପଞ୍ଚାୟତ କାର୍ଯ୍ୟାଳୟରୁ ୩ କି.ମି. ଦୂରତା ଥିବା ହେତୁ କାର୍ଯ୍ୟାଳୟକୁ ଯାଇ ଭତ୍ତା ଟଙ୍କା ଆଣିବା ମଧ୍ୟ ସମ୍ଭବ ହୋଇ ପାରୁନି। ଏଭଳି ପରିସ୍ଥିତିରେ ସନାମଣିଙ୍କ ଘରକୁ ଯାଇ ବ୍ୟାଙ୍କ ଅଧିକାରୀମାନେ ଭତ୍ତା ଟଙ୍କା ପହଞ୍ଚାଇବା ଓ ୮୦ ବର୍ଷ ବୟସ ଥିବାରୁ ସନାମଣିଙ୍କୁ ୫୦୦ ଟଙ୍କା ପରିବର୍ତ୍ତେ ୭୦୦ ଟଙ୍କା ପ୍ରଦାନ ପାଇଁ ଦାବି ହୋଇଛି। ଏ ସମ୍ପର୍କରେ ଖଡ଼ମବେଡ଼ା ପଞ୍ଚାୟତ ନିର୍ବାହୀ ଅଧିକାରୀ ସତ୍ୟରଞ୍ଜନ କରଙ୍କୁ ପଚାରିବାରୁ ସେ ବ୍ୟାଙ୍କ ଅଧିକାରୀଙ୍କ ସହିତ ଆଲୋଚନା କରି ବ୍ୟାଙ୍କମିତ୍ର ଜରିଆରେ ନିୟମିତ ଭାବେ ମାସିକ ଭତ୍ତା ଟଙ୍କା ସନାମଣିଙ୍କ ଘରକୁ ପହଞ୍ଚାଇବା ଏବଂ ୫ ଶହ ଟଙ୍କା ପରିବର୍ତ୍ତେ ୭ଶହ ଟଙ୍କାର ଭତ୍ତାଟଙ୍କା ପ୍ରଦାନ ବ୍ୟବସ୍ଥା କରିବା ସହିତ ବକେୟା ବର୍ଦ୍ଧିତ ଭତ୍ତା ମଧ୍ୟ ପ୍ରଦାନ କରିବେ ବୋଲି କହିଛନ୍ତି।

Share