କଇଁଛଙ୍କ ସୁରକ୍ଷା ନେଇ ବଢ଼ିଲାଣି ଚିନ୍ତା

ଢେଙ୍କାନାଳ,୪ା୯(ରତନ ନାୟାର): ନଦୀରୁ କଇଁଛ ଶିକାର କରିବା ଆଇନଗତ ଅପରାଧ। ଏଥିପାଇଁ ଜେଲ୍‌ ସହ ଜରିମାନା ବ୍ୟବସ୍ଥା ରହିଛି। ହେଲେ ଢେଙ୍କାନାଳ ଜିଲାରେ କଇଁଛଙ୍କ ଚୋରାଚାଲାଣ ବଢ଼ିବାରେ ଲାଗିଛି। ବିଶେଷକରି ୫୫ନଂ. ଜାତୀୟ ରାଜପଥ ପାର୍ଶ୍ୱର କେତେକ ଢାବାରେ କଇଁଛ ମାଂସ ପରଷା ଯାଉଥିବାରୁ ଏହା ଶିକାରୀମାନଙ୍କୁ ବେଶ୍‌ ସୁହାଉଛି। ସେମାନେ ନଦୀରୁ କଇଁଛ ଧରି ଉକ୍ତ ଢାବାଗୁଡ଼ିକୁ ଚୋରାରେ ଯୋଗାଇ ଦେଉଥିବା ଅଭିଯୋଗ ହେଉଛି। ଏହାଛଡ଼ା ମାଛ ମାରିବାକୁ ଡିନାମାଇଟ୍‌ର ବ୍ୟବହାର ମଧ୍ୟ ଏମାନଙ୍କ ଜୀବନ ପ୍ରତି ବିପଦ ସାଜୁଛି। ଜଳ ପ୍ରଦୂଷଣ ରୋକିବାରେ କଇଁଛଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଥିବାରୁ ଏହି ଜଳଜୀବଙ୍କ ସୁରକ୍ଷା ଅତି ଜରୁରୀ ହୋଇପଡ଼ିଛି। ଏହା ସତ୍ତ୍ୱେ ବନ ବିଭାଗ କଇଁଛ ଚୋରାଚାଲାଣ ରୋକିପାରୁ ନ ଥିବା ଅଭିଯୋଗ ହେଉଛି।
ଢେଙ୍କାନାଳ ଜିଲାରେ ୬ ପ୍ରଜାତିର କଇଁଛ ଦେଖିବାକୁ ମିଳିଥାନ୍ତି। ସେମାନଙ୍କ ମଧ୍ୟରେ ଦେଉଳି ପ୍ରଜାତି କଇଁଛଙ୍କ ଆକାର ବଡ଼। ଏମାନେ ଅଧିକ ସଂଖ୍ୟାରେ ଦେଖିବାକୁ ମିିଳିଥାନ୍ତି। ସେହିଭଳି ପଙ୍କୁଆ, କାମୁଡା, କୁସାଙ୍ଗି, ଚାଭେରୀ ଓ ମୟୂରଚୂଳିଆ ପ୍ରଜାତିର କଇଁଛ ଦେଖାଯାନ୍ତି। ଜିଲାରେ ଥିବା ବ୍ରାହ୍ମଣୀ ନଦୀର କାମାକ୍ଷାନଗର ଉପଖଣ୍ଡର ବୁଢିବିଲି, ରାଙ୍କିଆ ଓ ସଦର ଉପଖଣ୍ଡର ଶଙ୍କରପୁର, ନୂଆପଡ଼ା ଓ ବଣସିଂହ ଆଦି ଅଞ୍ଚଳର ନଦୀ କୂଳରେ ପ୍ରତିବର୍ଷ ଏହି କଇଁଛମାନେ ଅଣ୍ଡା ଦେଇଥାନ୍ତି। ବିଶେଷକରି ପ୍ରତିବର୍ଷ ନଭେମ୍ବର ପ୍ରଥମ ସପ୍ତାହରୁ ଫେବୃୟାରୀ ପର୍ଯ୍ୟନ୍ତ ଏହି ଅଣ୍ଡାଦାନ ପ୍ରକ୍ରିୟା ଚାଲିଥାଏ। କିଛିବର୍ଷ ହେଲା କଇଁଛଙ୍କ ଏହି ଅଣ୍ଡାଦାନ ସମୟରେ ଉକ୍ତ ଅଞ୍ଚଳରେ ବନବିଭାଗ ପକ୍ଷରୁ ପାଟ୍ରୋଲିଂ ଓ ସୁରକ୍ଷା ବ୍ୟବସ୍ଥା କରାଯାଇଛି। କିନ୍ତୁ ଏହି ବ୍ୟବସ୍ଥା ପର୍ଯ୍ୟାପ୍ତ ହେଉନାହିଁ। ଶିକାରୀମାନେ ଶତାଧିକ ସଂଖ୍ୟାରେ କଇଁଛ ଧରି ରାଜପଥ ପାର୍ଶ୍ୱରେ ଥିବା ବିଭିନ୍ନ ଢାବାକୁ ଚୋରା ଚାଲାଣ କରୁଛନ୍ତି। ତେବେ ବିଳମ୍ବରେ ହେଲେ ବି ଅଭିଯୋଗ ଉପରେ ବନବିଭାଗ ପଦକ୍ଷେପ ନେବା ଆରମ୍ଭ କରିଛି। ବନ୍ୟପ୍ରାଣୀଙ୍କ ସମ୍ପର୍କରେ ଗବେଷଣା କରୁଥିବା ଆୱାର୍ଡ ଅନୁଷ୍ଠାନ ସମ୍ପାଦକ ରାଜେନ୍ଦ୍ର ପାଣିଗ୍ରାହୀ କହିଛନ୍ତି, ଯେଉଁଠି କଇଁଛ ରହିଥାନ୍ତି, ସେଠାରେ ଅଧିକ ମାଛ ରହୁଥିବାରୁ କିଛି ଲୋକ ଡିନାମାଇଟ୍‌ ପକାଇ ମାଛ ମାରୁଛନ୍ତି। ଫଳରେ ଏହାର ପ୍ରଭାବ କଇଁଛଙ୍କ ଜୀବନ ଉପରେ ପଡୁଛି। କଇଁଛ ବନ୍ୟପ୍ରାଣୀ ହୋଇଥିବାରୁ ଏହାର ଚୋରାଚାଲାଣ ଓ ବିକ୍ରିକୁ ନିଷେଧ କରାଯାଇଛି। ଏଥିପାଇଁ ଆଇନରେ ୭ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଓ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା ରହିଛି। ପୂର୍ବତନ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ପ୍ରଦ୍ୟୁମ୍ନ ରଥ କହିଛନ୍ତି, ବ୍ରାହ୍ମଣୀ ନଦୀରେ ବିଭିନ୍ନ ପ୍ରଜାତିର କଇଁଛ ଅଛନ୍ତି। କଇଁଛ ସମସ୍ତ ଜଳଜନିତ ପ୍ରଦୂଷଣକୁ ରୋକିପାରିବ। ଯେହେତୁ ୫୫ନଂ ଜାତୀୟ ରାଜପଥ ଠାରୁ ୧୦ କିଲୋମିଟର ଦୂରରେ ବ୍ରାହ୍ମଣୀ ନଦୀ ରହିଛି, ସେଥିପାଇଁ ସେଠାରୁ କଇଁଛ ଶିକାର କରି ଢାବାଗୁଡ଼ିକୁ ଯୋଗାଇ ଦିଆଯାଉଛି। ବନବିଭାଗ ଏଥିପ୍ରତି ସ୍ବତନ୍ତ୍ର ଭାବେ ଦୃଷ୍ଟି ପ୍ରଦାନ କରିବା ଜରୁରୀ। ନଚେତ୍‌ କଇଁଛଙ୍କ ଅସ୍ତିତ୍ୱ ପ୍ରତି ସଙ୍କଟ ସୃଷ୍ଟି ହେବ। ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ର କହିଛନ୍ତି, ଏ ସମ୍ପର୍କରେ ବିଭାଗକୁ ଖବର ମିଳିଛି। ଏ ନେଇ ଅନୁଧ୍ୟାନ ଆରମ୍ଭ କରାଯାଇଛି।

Share