ପ୍ଲାଜ୍‌ମା ଥେରାପି ଚିକିତ୍ସା ଉପରେ ବଢୁଛି ଭରସା

ବାଲେଶ୍ୱର ଅଫିସ,୬।୫:  ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ପ୍ଲାଜମା ଥେରାପି ଚିକିତ୍ସା ଉପରେ ଦିନକୁ ଦିନ ଭରସା ବଢୁଛି। ଗତ ୨୦୨୦ ଅଗଷ୍ଟ ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ପ୍ଲାଜମା ବ୍ୟାଙ୍କକୁ ଉଦ୍‌ଘାଟନ କରିଥିଲେ। ଏହା ଦ୍ୱାରା ଉତ୍ତରଓଡ଼ିଶାର ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ ଜିଲାର କରୋନା ଆକ୍ରାନ୍ତ ଏହି ସେବା ପାଇପାରୁଛନ୍ତି। ଫଳରେ କରୋନା ଆକ୍ରାନ୍ତଙ୍କୁ ପ୍ଲାଜମା ଥେରାପି ପାଇଁ ଆଉ କଟକ ବଡ଼ ଡାକ୍ତରଖାନା ଯିବାକୁ ପଡୁନାହଁି। ବର୍ତ୍ତମାନ ଜିଲା ମୁଖ୍ୟ ଚିକିତ୍ସାଳୟରେ ଥିବା ପ୍ଲାଜମା ବ୍ୟାଙ୍କରେ ୬୯ ୟୁନିଟ୍‌ ପ୍ଲାଜମା ଗଚ୍ଛିତ ରହିଛି। ଯେଉଁ ଆକ୍ରାନ୍ତ ଅଧିକ ଅସୁସ୍ଥ ହେବେ ସେମାନଙ୍କୁ ତୂରନ୍ତ ପ୍ଲାଜମା ଥେରାପି ଦ୍ୱାରା ଚିକିତ୍ସା କରାଯିବ ବୋଲି ଜଣାପଡ଼ିଛି।
କରୋନା ସଂକ୍ରମିତଙ୍କ ରୋଗ ପ୍ରତିଷେଧକ ଶକ୍ତି କମିବା ଦ୍ୱାରା ସେମାନେ ଗୁରୁତର ହୋଇଥାନ୍ତି। ବିଶେଷ କରି କରୋନାର ଦ୍ୱିତୀୟ ଲହରରେ ରୋଗ ପ୍ରତିଷେଧକ ଶକ୍ତି ଅଧିକ ମାତ୍ରାରେ କମୁଥିବାରୁ ମୃତ୍ୟୁ ସଂଖ୍ୟା ବଢୁଛି। ଯଦି ଠିକ୍‌ ସମୟରେ କୋଭିଡ୍‌ ସଂକ୍ରମିତଙ୍କୁ ପ୍ଲାଜମା ଥେରାପି ଚିକିତ୍ସା କରାଯାଏ ତା’ହେଲେ, ସେମାନେ ସୁସ୍ଥ ହୋଇପାରିବେ। ପୂର୍ବରୁ ସ୍ପାନିସ୍‌ ଫ୍ଲୁ ଠାରୁ ଆରମ୍ଭ କରି ଇବୋଲା ପର୍ଯ୍ୟନ୍ତ ସମସ୍ତ ମହାମାରୀରେ ରୋଗୀମାନଙ୍କ ଚିକିତ୍ସା କ୍ଷେତ୍ରରେ ପ୍ଲାଜମା ଥେରାପି ଚିକିତ୍ସା ପଦ୍ଧତି ବ୍ୟବହାର କରାଯାଇ ରୋଗୀଙ୍କୁ ସୁସ୍ଥ କରାଯାଇପାରିଛି। ଏମିତିକି କରୋନା ପ୍ରଥମ ଲହର ସମୟରେ ରୋଗୀଙ୍କୁ ପ୍ଲାଜମା ଥେରାପି ଦ୍ୱାରା ସୁସ୍ଥ କରାଯାଇଛି। ଏହାଦ୍ୱାରା ପାଖାପାଖି ୮୦% ରୋଗୀ ସୁସ୍ଥ ହେଉଥିବା ଚିକିତ୍ସା ବିଶେଷଜ୍ଞଙ୍କ ମତରୁ ଜଣାପଡ଼ିଛି। କୋଭିଡ୍‌ରୁ ଆରୋଗ୍ୟ ଲାଭ କରିବାର ୧୪ଦିନ ପରେ ଜଣେ ପ୍ଲାଜମା ଦାନ କରିପାରିବ। ଏଥିସହିତ କୋଭିଡ୍‌ର ଶେଷ ଟିକା ନେବାର ୨୮ଦିନ ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ରକ୍ତରୁ ପ୍ଲାଜମା ସଂଗ୍ରହ କରାଯାଇପାରିବ। ଥରେ ପ୍ଲାଜମା ଦେବାର ୧୫ଦିନ ପରେ ପୁଣି ଥରେ ସେହି ବ୍ୟକ୍ତି ପ୍ଳାଜମା ଦାନ କରିପାରିବେ।
ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦୁଲାଲସେନ ଜଗଦ୍ଦେବ କହନ୍ତି, ଗତ ୨୦୨୦ ମସିହାରେ ଜିଲାକୁ ୫୯ ୟୁନିଟ୍‌ ପ୍ଲାଜମା ମିଳିଥିବା ବେଳେ ପ୍ଲାଜମା ଥେରାପି ଦ୍ୱାରା ୨୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିଲେ। ଚଳିତବର୍ଷ ପ୍ଲାଜମା ବ୍ୟାଙ୍କକୁ ଆଉ ୩୮ ୟୁନିଟ୍‌ ପ୍ଲାଜମା ପ୍ରଦାନ କରାଯାଇଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ୨ଶହ ୟୁନିଟ୍‌ ପ୍ଲାଜମା ରହିବା ଭଳି ବିଯୁକ୍ତ ୪୦ଡିଗ୍ରୀ ସେଲସିୟସ୍‌ର ଫ୍ରିଜର୍‌ ରଖାଯାଇଛି। ଦିନକୁ ଦିନ ଜିଲାରେ ଦ୍ରୁତ ଗତିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଆଗକୁ ଆବଶ୍ୟକତା ଅନୁଯାୟୀ ଅଧିକ ପ୍ଲାଜମା ରଖାଯିବ ବୋଲି ସେ ପ୍ରକାଶ କରିଛନ୍ତି।