Advertisement

୬ଦିନ ହେଲା ବିଏସ୍‌ଏନ୍‌ଏଲ୍‌ ନେଟୱର୍କ ନାହିଁ

ଲାଞ୍ଜିଗଡ,୧୪।୪(ଡି.ଏନ.ଏ.): କଳାହାଣ୍ଡି ଜିଲାର ଲାଞ୍ଜିଗଡ ଏକ ଶିଳ୍ପାଞ୍ଚଳ ହୋଇଥିବା ବେଳେ ଅନେକ ଲୋକ ବିଭିନ୍ନ ପ୍ରକାର ସିମ ବ୍ୟବହାର କରିଥାନ୍ତି। ସେ ମଧ୍ୟରୁ ବିଏସ୍‌ଏନ୍‌ଏଲ୍‌ (ଭାରତ ସଞ୍ଚାର ନିଗମ ଲିମିଟେଡ଼) ଏକ ପୁରୁଣା ଟେଲିକମ କମ୍ପାନୀ ହୋଇଥିବା ବେଳେ ଲୋକେ ଏହି ସିମକୁ ବହୁଳ ବ୍ୟବହାର କରିଥାନ୍ତି। ଏଭଳି କି ଅଫିସରେ ମଧ୍ୟ ଅଧିକ ଏହି ନେଟର ବ୍ୟବହାର ହୋଇଥାଏ। ହେଲେ ବର୍ତ୍ତମାନ ଲୋକଙ୍କ ଆସ୍ଥା ହରାଉଛି ଏହି କମ୍ପାନୀ। ଲୋକଙ୍କୁ ଠିକରେ ସେବା ଯୋଗାଇ ପାରୁନାହିଁ। ଅଧିକାଂଶ ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟରେ ବିଏସ୍‌ଏନ୍‌ଏଲ୍‌ ନମ୍ବର ଜଡିତ ଥିବାରୁ ସେମାନେ ଓଟିପି ନ ଆସିଲେ ବ୍ୟାଙ୍କ ଟ୍ରାନ୍ସକ୍ସନ ପାଇଁ ଅସୁବିଧା ଭୋଗୁଛନ୍ତି। କେତେବେଳେ ନେଟୱର୍କ ରହୁଛି ତ କେତେବେଳେ ରହୁନାହିଁ। ଅନ୍ୟ କମ୍ପାନୀ ତୁଳନାରେ ବିଏସ୍‌ଏନ୍‌ଏଲ୍‌ ନେଟୱର୍କ ପ୍ରତି ମାସରେ ୫ରୁ ୬ଦିନ ନେଟୱର୍କ ଉଭାନ ହୋଇଯାଏ। ଗତ ୬ଦିନ ହେଲା ଲାଞ୍ଜିଗଡ ଏବଂ ଏହାର ଆଖପାଖ ଅଞ୍ଚଳରେ ବିଏସ୍‌ଏନ୍‌ଏଲ୍‌ ନେଟୱକ ନାହିଁ। ଫଳରେ ଲୋକଙ୍କ ଯୋଗାଯୋଗ ବିଛିନ୍ନ ଘଟିଛି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ଦୁର୍ଗମ ଏବଂ ଘାଟି ଅଞ୍ଚଳରେ ଥିବା ମୁଷନାଳ ଓ ବିଜେପୁରଠାରେ ମଧ୍ୟ ବିଏସଏନଏଲ ଟାୱାର ସ୍ଥାପନ କରାଯାଇଛି। ହେଲେ ତାହା ନାମକୁ ମାତ୍ର ଫୋର ଜି ନେଟ କଥା କୁହାଯାଉଛି ହେଲେ କିଛି କାମ କରୁନାହିଁ। ଲୋକେ ଏହି କମ୍ପାନୀ ପ୍ରତି ବିମୁଖ ହେଉଛନ୍ତି। ଅଞ୍ଚଳବାସୀ ଏହାକୁ ନେଇ ଆନ୍ଦୋଳନ ପାଇଁ ସଜବାଜ ହେବାକୁ ବସିଲେଣି। ଆଗାମୀ ଦିନରେ ଏକ ବଡ଼ ଧରଣର ଆନ୍ଦୋଳନକୁ ଏଡାଇ ଦିଆଯାଇ ନ ପାରେ। ଯଥାଶୀଘ୍ର ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକତା ରହିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share