RBI Monetary Policy: ସୁଧହାରରେ କୌଣସି ପରିବର୍ତ୍ତନ ନାହିଁ, ଜାଣନ୍ତୁ ବ୍ୟାଙ୍କ ଲୋନ୍‌ ଇଏମ୍‌ଆଇ…

ନୂଆଦିଲ୍ଲୀ,୮ା୨: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ନୀତି ହାରରେ କୌଣସି ପରିବର୍ତ୍ତନ କରିନାହିଁ। ମୁଦ୍ରା ନୀତି କମିଟିର ବୈଠକ ପରେ ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ଗୁରୁବାର ନୀତି ହାର ଘୋଷଣା କରିଛନ୍ତି। ସେ କହିଛନ୍ତି, ରେପୋ ହାର ବା ସୁଧହାର କଟାଯାଇ ନାହିଁ, ତେଣୁ ପଲିସି ସୁଧହାର ୬.୫୦ ପ୍ରତିଶତ ରହିବ।

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ଙ୍କ ନେତୃତ୍ୱରେ ମୁଦ୍ରା ନୀତି କମିଟି (ଏମ୍‌ପିସି) ରେପୋକୁ ୬.୫% ରଖିଛି। ଏହା କ୍ରମାଗତ ଷଷ୍ଠଥର ଯେ,କେନ୍ଦ୍ରୀୟ ବ୍ୟାଙ୍କ ସୁଧହାରରେ କୌଣସି ପରିବର୍ତ୍ତନ କରିନାହିଁ।

ଆରବିଆଇ ଗଭର୍ନର କହିଛନ୍ତି, ସରକାର ଏବଂ କେନ୍ଦ୍ରୀୟ ବ୍ୟାଙ୍କର ଉଦ୍ୟମ ଯୋଗୁ ମୁଦ୍ରାସ୍ଫୀତି ହାର ହ୍ରାସ ପାଇଛି। ୨୦୨୪ ଆର୍ଥିକ ବର୍ଷ ପାଇଁ ପ୍ରକୃତ ଜିଡିପି ଅଭିବୃଦ୍ଧି ଆକଳନ ୭ ପ୍ରତିଶତ ହେବ। ଏହାପୂର୍ବରୁ ବିଶେଷଜ୍ଞମାନେ ପୂର୍ବାନୁମାନ କରିଥିଲେ ଯେ, କେନ୍ଦ୍ରୀୟ ବ୍ୟାଙ୍କ ମୁଦ୍ରାନୀତି ହାରରେ କୌଣସି ପରିବର୍ତ୍ତନ କରିବ ନାହିଁ, କାରଣ ଖୁଚୁରା ମୁଦ୍ରାସ୍ଫୀତି ତଥାପି ସନ୍ତୋଷଜନକ ସ୍ତରରେ ଅଛି। ରିଜର୍ଭ ବ୍ୟାଙ୍କ ପ୍ରାୟ ଏକ ବର୍ଷ ପାଇଁ ରେପୋ ହାରକୁ ୬.୫ ପ୍ରତିଶତରେ ସ୍ଥିର ରଖିଛି। ଫେବୃଆରୀ ୨୦୨୩ରେ ଏହା ୬.୨୫ ପ୍ରତିଶତରୁ ୬.୫ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା।

୬.୫୦ ପ୍ରତିଶତ ସ୍ତରରେ ସୁଧହାର ସ୍ଥିର ରହିଥିବାରୁ ବ୍ୟାଙ୍କଗୁଡିକରୁ ଋଣ ଏବଂ ସଞ୍ଚୟ ଯୋଜନାରେ ପ୍ରାପ୍ତ ସୁଧରେ କୌଣସି ପରିବର୍ତ୍ତନ ହେବ ନାହିଁ। ବ୍ୟାଙ୍କ ଏବଂ ଏନ୍‌ବିସିଗୁଡ଼ିକ ଆର୍‌ବିଆଇର ମାନଦଣ୍ଡ ହାର ଉପରେ ଆଧାର କରି ସୁଧ ହାର ବୃଦ୍ଧି ଏବଂ ହ୍ରାସ କରନ୍ତି।

Share