ନୂତନ ପୋଲ ପାଇଁ ସଂଯୋଗୀକରଣ ରାସ୍ତା ନାହିଁ

ରାହାମା, ୯।୧୦ (ଶ୍ରୀକାନ୍ତ ଦାସ ):କୁଜଙ୍ଗ ବ୍ଲକ ଅନ୍ତର୍ଗତ ବୃଦ୍ଧାନଦୀ ଉପରେ ପ୍ରାୟ ୬ମାସ ହେବ ପୋଲ ନିର୍ମାଣ ସରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସଂଯୋଗୀକରଣ ରାସ୍ତା ହୋଇନାହିଁ। ଏନେଇ ଲୋକେ ଯାତାୟାତବେଳେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅପରପକ୍ଷେ ପୁରୁଣାପୋଲ ପାଖରେ ମାଟି ଗଦା ହୋଇ ରହିଥିବାରୁ ବର୍ଷା ପାଣି ଚାଷ ଜମିରୁ ନଦୀକୁ ନିଷ୍କାସିତ ହୋଇପାରୁନାହିଁ। ଚାଷ ଜମି ଜଳମଗ୍ନ ହୋଇ ରହିଛି। ଏଥିଯୋଗୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ନେଇ ଚାଷୀମାନେ ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ, କଟକ-ପାରାଦୀପ ରାସ୍ତାର ରାହାମା ତାଳପଡା ଛକରୁ ବାହାରିଛି ରବୀନ୍ଦ୍ର ସରଣୀ ରାସ୍ତା। ଏହା ଏରସମା ବ୍ଲକର ସଦର ମହକୁମାକୁ ଏକମାତ୍ର ଯୋଗାଯୋଗ ପଥ। ଏହି ରାସ୍ତା ଉପରେ ପଣ୍ଡୁଆ,ବଣିତୋ,ଗୋରଡ ଗାରେଇ, ପୋତାନଈ ଆଦି ପଞ୍ଚାୟତବାସୀ ନିର୍ଭରଶୀଳ। ଏହି ସଡ଼କର ମଠସାହୀ ଛକଠାରୁ ମାତ୍ର ଦୁଇ କିମି ଦୂରତାରେ ଶ୍ରୀ ଶ୍ରୀ ପଶ୍ଚିମେଶ୍ୱର ମହାଦେବଙ୍କ ମନ୍ଦିର ରହିଛି। ଦୂରଦୂରାନ୍ତରୁ ବହୁ ଭକ୍ତ ଏହି ପ୍ରାଚୀନ ଶୈବପୀଠକୁ ଦର୍ଶନ ପାଇଁ ଆସିଥାନ୍ତି। ଏହି ରାସ୍ତା ଦେଇ ବୃଦ୍ଧାନଦୀ ପ୍ରବାହିତ ହେଉଛି। ଯାତାୟାତ ପାଇଁ ପୂର୍ବରୁ ନଦୀ ଉପରେ ଜୁଣଗଣ୍ଡ ପୋଲ ଥିଲା। ଏହା ସଂକୀର୍ଣ୍ଣ ହୋଇଥିବା ବେଳେ ଜରାଜୀର୍ଣ୍ଣ ହୋଇପଡ଼ିଥିଲା। ଏନେଇ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବିଜୁସେତୁ ଯୋଜନାରେ ନୂତନ ପୋଲ ନିର୍ମାଣ ହୋଇଛି। ମାତ୍ର ଏବେ ସଂଯୋଗୀକରଣ ରାସ୍ତା ହୋଇ ନ ଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ପୋଲ ନିର୍ମାଣକୁ ୬ ମାସ ବିତିଯାଇଥିଲେ ମଧ୍ୟ ସଂଯୋଗୀକରଣ ରାସ୍ତା ପାଇଁ ପଦକ୍ଷେପ ନିଆଯାଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏହାଛଡ଼ା ପୁରୁଣା ପୋଲ ତଳେ ମାଟି ଗଦା ହୋଇ ରହିଥିବାରୁ ବର୍ଷାପରେ କ୍ଷେତରୁ ଜଳ ଆସି ନଦୀରେ ମିଶିପାରୁନାହିଁ। ଫଳରେ ପୂର୍ବ ଭଳି ଏବେ ମଧ୍ୟ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଏନେଇ ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।
ଏ ସମ୍ପର୍କରେ ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ନିମାଇଁ ଚରଣ ଦାସ କୁହନ୍ତି, ବର୍ଷା ଯୋଗୁ ସଂଯୋଗୀକରଣ ରାସ୍ତା କାମ ହୋଇପାରୁ ନ ଥିଲା। ଏବେ ବର୍ଷା କମିଛି। ଖୁବ୍‌ଶୀଘ୍ର ରାସ୍ତା କାମ ଚାଲୁ ହେବ।

Share