ବାଲିଯାତ୍ରା କି ବାଣିଜ୍ୟ ମେଳାରେ ଦାରିଙ୍ଗବାଡ଼ି କଫିର ଚାହିଦା ନାହିଁ, ପ୍ରଚାର ପ୍ରସାର ପାଇଁ ଯଦି…

ଦାରିଙ୍ଗବାଡ଼ି,୧୬ା୧୧(ଅରୁଣ ସାହୁ): ଜୈବିକ ପଦ୍ଧତିିରେ ଦାରିଙ୍ଗବାଡ଼ି କଫି ଚାଷ କରାଯାଉଛି। କୋରାପୁଟ ପରେ ଦାରିଙ୍ଗବାଡ଼ି କଫିର ବହୁତ ଚାହିଦା ରହିଛି ହେଲେ ଦାରିଙ୍ଗବାଡ଼ି କଫିକୁ ନେଇ ସରକାରଙ୍କ ପକ୍ଷରୁ କୌଣସି ଆଗ୍ରହ ପ୍ରକାଶ ପାଉନି। କଫି ବଗିଚା ଦାରିଙ୍ଗବାଡ଼ିକୁ ସ୍ବତନ୍ତ୍ର ପରିଚୟ ଦେଇଛି। ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକ ଦାରିଙ୍ଗବାଡି ଆସିଲେ କଫି ବଗିଚା ବୁଲନ୍ତି। କଫି ମଞ୍ଜି ଓ ବଜାରରେ ମିଳୁଥିବା କଫି ଗୁଣ୍ଡ ନିଅନ୍ତି।  ଘରୋଇ ବ୍ୟବସାୟୀମାନେ ହିଁ କଫି ମଞ୍ଜି ବିକ୍ରି କରନ୍ତି କିନ୍ତୁ ଜିଲା ପ୍ରଶାସନର ମୃତ୍ତିକା ସଂରକ୍ଷିତ ବିଭାଗ ଦ୍ୱାରା ପରିଚାଳିତ ଏହି କଫି ବଗିଚା କେବଳ ପର୍ଯ୍ୟଟକଙ୍କଠାରୁ ଟିକେଟ ସଂଗ୍ରହ ବ୍ୟତୀତ ଆଉ ଏହାର ପ୍ରଚାର ପ୍ରସାର ପାଇଁ କୌଣସି ପଦକ୍ଷେପ ନିଆଯାଇ ନ ଥାଏ। କିନ୍ତୁ କୋରାପୁଟ କଫି ରାଜ୍ୟ ତଥା ରାଜ୍ୟ ବାହାରେ ବହୁତ ପରିଚିତ ହୋଇପାରିଛି। ଏବେ ଦିଲ୍ଲୀର ପ୍ରଗତି ମୈଦାନରେ ଚାଲିଥିବା ବାଣିଜ୍ୟ ମେଳାରେ କୋରାପୁଟ କଫିର ଚାହିଦା ଅଧିକା ରହିଥିବା କୋରାପୁଟ କଫି ବିକ୍ରିବଟା ଦାୟିତ୍ୱରେ ଥିବା ଚିନ୍ମୟୀ ପାତ୍ର କହିଛନ୍ତି। ସେଠାରେ ଷ୍ଟଲ୍‌ ନଂ ୨ରେ ସେ କୋରାପୁଟ କଫିର ରୋଷ୍ଟେଡ କଫି ବିନ୍‌, ଟାଇଗର ଉଜ୍ଜ୍ୱଳ କଫି ପାଉଡର, କୋଲ୍ଡ ବ୍ରୁ (କୋଲ୍ଡ କଫି ପାଉଡର), ଇଥିନି କଫି ପାଉଡର ବିକ୍ରି କରାଯାଉଛି। ଦିଲ୍ଲୀର ଗ୍ରାହକମାନେ ଏହି ଓଡ଼ିଶାର କୋରାପୁଟ କଫିକୁ ଗତ କିଛି ବର୍ଷ ହେଲା ଭଲ ଭାବେ ଜାଣିଥିବାରୁ ସେମାନେ ଏହାକୁ ଆଗ୍ରହର ସହ କିଣୁଛନ୍ତି। କୋରାପୁଟ କଫି ଭଳି ଯଦି ଦାରିଙ୍ଗବାଡ଼ି କଫିକୁ ମଧ୍ୟ ରାଜ୍ୟ ତଥା ରାଜ୍ୟ ବାହାରେ ବିକ୍ରିବଟା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବେ ତେବେ ଏହି ଚାଷର ବହୁଳ ପ୍ରଚାର ପ୍ରସାର ହେବା ସହ ହଳଦୀ ପରେ କଫି ଚାଷ କରିବାକୁ ସ୍ଥାନୀୟ ଚାଷୀ ଆଗ୍ରହ ପ୍ରକାଶ କରିଥାନ୍ତେ ବୋଲି ଅଞ୍ଚଳବାସୀ କହିଛନ୍ତି।

Share