ଡାକ୍ତର ନାହାନ୍ତି, ରୋଗୀ ଦେଖୁଛନ୍ତି ଫାର୍ମାସିଷ୍ଟ

ଢେଙ୍କାନାଳ,୬।୯(ରତନ ନାୟାର): ଢେଙ୍କାନାଳ ସହର ବାଜିଚୌକସ୍ଥିତ ସହରାଞ୍ଚଳ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ୩ଦିନ ହେଲା ଡାକ୍ତର ନ ଥିବାରୁ ଜଣେ ଫାର୍ମାସିଷ୍ଟ ରୋଗୀ ଦେଖୁଛନ୍ତି। ଏ ସମ୍ପର୍କରେ ସ୍ବାସ୍ଥ୍ୟ ବିଭାଗ ନିକଟରେ ଖବର ଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇ ନାହିଁ। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ପ୍ରକାଶ ଯେ, ବାଜିଚୌକଠାରେ ଥିବା ପୁରୁଣା ଜିଲା ମୁଖ୍ୟ ଚିକିତ୍ସାଳୟ ଦକ୍ଷିଣକାଳୀ ରୋଡ୍‌ରେ ଥିବା ନୂତନ ବିଲ୍ଡିଂକୁ ସ୍ଥାନାନ୍ତର ହେବା ପରେ ପୁରୁଣା ଜିଲା ମୁଖ୍ୟ ଚିକିତ୍ସାଳୟ ଥିବା କୋଠା କୌଣସି କାର୍ଯ୍ୟରେ ନ ଲାଗି ପଡି ରହିଥିଲା। କୋଭିଡ୍‌ ସମୟରେ ଏହାକୁ କୋଭିଡ୍‌ ହସ୍ପିଟାଲ କରାଯାଇଥିଲା। ଯେହେତୁ ସହରରେ ଦିନକୁ ଦିନ ଜନସଂଖ୍ୟା ବଢିବାରେ ଲାଗିଛି ଏସବୁକୁ ନଜରରେ ରଖି ପୁରୁଣା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ କରିବା ପାଇଁ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ବାରମ୍ବାର ଦାବି ହୋଇଥିଲା। ଏଠାରେ ଅତି କମ୍‌ରେ ଜଣେ ଡାକ୍ତର ନିୟମିତ ରୋଗୀ ଦେଖିବେ ବୋଲି ଦାବି ହୋଇଥିଲା। ତଦନୁଯାୟୀ ଗତ ୨୫ ଫେବୃୟାରୀ ୨୦୨୩ରେ ସହରାଞ୍ଚଳ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଥିଲା। ପ୍ରତିଦିନ ଜଣେ ଡାକ୍ତର ସେଠାରେ ନିୟମିତ ରୋଗୀ ଦେଖୁଥିଲେ। କିନ୍ତୁ ଉକ୍ତ ଡାକ୍ତର ଯିବା ପରେ ଅନ୍ୟଜଣେ ଡାକ୍ତରଙ୍କୁ ସେଠାରେ ନିଯୁକ୍ତ କରାଯାଇଥିଲା। ସେ ପିଜି କରିବାକୁ ପଳାଇବାରୁ ଏଠାରେ ଡାକ୍ତର ପଦବୀ ଖାଲି ପଡିଛି। ଫଳରେ ଜଣେ ଫାର୍ମାସିଷ୍ଟଙ୍କ ଭରସାରେ ଡାକ୍ତରଖାନା ଚାଲିଛି। ଏ ସଂକ୍ରାନ୍ତରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଶୋକ କୁମାର ଦାଶ କହିଛନ୍ତି, ଜଣେ ଡାକ୍ତର ଅବସର ନେଇଥିବାରୁ ଅନ୍ୟ ଜଣଙ୍କୁ ନିଯୁ୍‌୍‌କ୍ତି ଦିଆଯାଇଥିଲା। ସେ ପିଜି କରିବା ପାଇଁ ଯିବା ପରେ ଫାର୍ମାସିଷ୍ଟ ରୋଗୀ ଦେଖୁଛନ୍ତି। ଖୁବଶୀଘ୍ର ଅନ୍ୟଜଣେ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବ।

Share