ବାସୁଦେବପୁର,୯।୮(ଡି.ଏନ.ଏ.):ଭଦ୍ରକ ଜିଲା ବାସୁଦେବପୁର ଅଞ୍ଚଳରେ ଲଘୁଚାପଜନିତ ବର୍ଷା ଲାଗି ରହିଛି। ଏହି ବର୍ଷା କେତେଜଣ ଲୋକଙ୍କୁ ଅସୁବିଧାରେ ପକାଇଛି। ଖାଲୁଆ ଅଞ୍ଚଳ ତଥା କେତେକ ସ୍ଥାନରେ ବର୍ଷାଜଳ ନିଷ୍କାସନ ହୋଇ ନ ପାରିବାରୁ ଲୋକେ ଦୁର୍ଦ୍ଦଶା ଭୋଗୁଛନ୍ତି। ନରସିଂହପୁର ବଜାର ତଥା ଏହି ପଞ୍ଚାୟତର ସଂଲଗ୍ନ ଗଁାଗୁଡ଼ିକରୁ ବର୍ଷାଜଳ ନିଷ୍କାସନ ହୋଇପାରୁ ନାହିଁ। ଫଳରେ ଲୋକଙ୍କ ଘରେ ବର୍ଷାପାଣି ପଶିବା ଆରମ୍ଭ କରିଛି। କେତେକ ଘର ଜଳଘେରରେ ରହିଛି। ଏହି ବଜାର ସଂଲଗ୍ନ ଅଞ୍ଚଳର ଶମ୍ବୁନାଥ ବାରିକଙ୍କ ଘରେ ପାଣି ପଶିଛି। ନରସିଂହପୁର ଗ୍ରାମରୁ ବର୍ଷାଜଳ ନିଷ୍କାସନ ଦାବିରେ ଗ୍ରାମବାସୀ ସୋମବାର ସ୍ଥାନୀୟ ବାସୁଦେବପୁର-ଜାମୁଝାଡ଼ି ରାସ୍ତାକୁ ଅବରୋଧ କରିଥିଲେ। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ରାସ୍ତାରୋକୋ ଖବର ପାଇ ବାସୁଦେବପୁର ଥାନା ଆଇଆଇସି ସାବିତ୍ରୀ ପଣ୍ଡା, ତହସିଲଦାର ଅନୀତା ନାୟକ ପ୍ରମୁଖ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିଥିଲେ। ଜଳ ନିଷ୍କାସନ ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଅପରାହ୍ନରେ ରାସ୍ତା ଅବରୋଧ ହଟିଥିଲା।