କର୍ଲାମୁଣ୍ଡା,୨ା୭(ଡି.ଏନ୍.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ବୋରପଦର ପଞ୍ଚାୟତ ଭଟାପଲା ଅଲେଖ ମନ୍ଦିରପଡ଼ାଠାରେ ବର୍ଷାଜଳ ନିଷ୍କାସନ ପାଇଁ ବ୍ୟବସ୍ଥା ନ ଥିବାରୁ ରାସ୍ତା ଉପରେ ୧ ଫୁଟ ଉଚ୍ଚର ପାଣି ଲହଡ଼ି ମାରୁଥିବା ଦେଖିବାକୁ ମିଳିଛି। ଫଳରେ ସ୍ଥାନୀୟ ଲୋକେ ଯିବା ଆସିବା କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଓ ମଶାମାଛିଙ୍କ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଥିବା ସାମାଜିକ କର୍ମୀ କ୍ଷୀରସାଗର କୁମାର ଅଭିଯୋଗ କରିଛନ୍ତି। ଅନ୍ୟପଟେ ପାଣି ଜମି ରହୁଥିବା ଏହି ସ୍ଥାନରେ ରାସ୍ତାର ଦୁଇ ପାର୍ଶ୍ୱରେ ଲୋକେ ଘର ତିଆରି କରିଥିବାରୁ ବର୍ଷାଜଳ ନିଷ୍କାସନ ହୋଇପାରୁ ନ ଥିବା ପଡ଼ାବାସୀ କହିଛନ୍ତି।
ଏନେଇ ବୋରପଦର ପଞ୍ଚାୟତ ସରପଞ୍ଚ ସୁବାସ ସାହୁଙ୍କୁ ପଚାରିବାରୁ ମୁଁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲି। ପ୍ରଶାସନ ପକ୍ଷରୁ ଘଟଣାସ୍ଥଳରେ ଆସି ରାସ୍ତାର ଦୁଇ ପାର୍ଶ୍ୱରେ ଘର ତିଆରି କରିଥିବା ଲୋକଙ୍କୁ ପାଣି ନିଷ୍କାସନ ପାଇଁ ରାସ୍ତା ଛାଡ଼ିବାକୁ ଅନୁରୋଧ କରିଥିଲେ ହେଁ କେହି ନ ଶୁଣବାରୁ ଏଭଳି ସମସ୍ୟା ହୋଇଛି। ସ୍ଥାୟୀ ଡ୍ରେନ୍ ନିର୍ମାଣ ପାଇଁ ଆବଶ୍ୟକ ଅର୍ଥ ବ୍ୟବସ୍ଥା କରାଗଲେ ଏହାର ସମାଧାନ ହୋଇପାରନ୍ତା ବୋଲି ମତ ରଖିଛନ୍ତି। ଏଣୁ ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।