ନିଷ୍କାସନ ନାହିଁ, ଆଣ୍ଠୁଏ ପାଣିରେ ଯାଉଛନ୍ତି ପିଲା

ବାଲିଆପାଳ, ୨୦।୧୦(ସ୍ବ.ପ୍ର.): ଲଘୁଚାପଜନିତ ବର୍ଷାରେ ବାଲିଆପାଳ ବ୍ଲକର ମଧୁପୁରା ପଞ୍ଚାୟତ ଅଧୀନ ଚରବସ୍ତକାଳରୁଇ ଏବଂ ଚୌଧୁରୀକୁଦ ଗ୍ରାମ ମୁଖ୍ୟ ରାସ୍ତା ଆଣ୍ଠୁଏ ପାଣିରେ ଉବୁଟୁବୁ ହେଉଛି। ପାଣି ନିଷ୍କାସନ ବ୍ୟବସ୍ଥା ନାହିଁ। ସମସ୍ତେ ପାଣିରେ ପଶି ଯା’ଆସ କରୁଛନ୍ତି। ପ୍ରତିଦିନ ଛୋଟ ଛୋଟ ପିଲାମାନେ ବିପଦପୂର୍ଣ୍ଣ ଭାବେ ପାଠ ପଢ଼ିବାକୁ ଯାଉଛନ୍ତି।
ଉଭୟ ଗ୍ରାମକୁ ବାଲିଆପାଳଠାରୁ ଜାମକୁଣ୍ଡା ମୁଖ୍ୟରାସ୍ତା ପଞ୍ଚରୁଖି ଛକଠାରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ ହେବା ପରେ କଂକ୍ରିଟ ରାସ୍ତା କରାଯାଇଛି। ଗାଁ ରାସ୍ତାରେ କାଦୁଅ ନାହିଁ, ହେଲେ ଭିତରକୁ ପଶିବାକୁ ହେଲେ ବର୍ଷା ଦିନ ଆରମ୍ଭରୁ ଆଣ୍ଠୁଏ ପାଣିରେ ପଶି ପଶି ଯିବାକୁ ପଡୁଛି। ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା କରାଯିବା ବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗର ଖାମଖିଆଲ ନୀତି ଯୋଗୁ ସେତେବେଳେ ଗାଁ ମଧ୍ୟରୁ ଜଳ ନିଷ୍କାସନ ବ୍ୟବସ୍ଥା ପ୍ରତି ବିଭାଗୀୟ ଅଧିକାରୀମାନେ ନଜର ଦେଇ ନ ଥିଲେ। ଫଳରେ ଗ୍ରାମବାସୀଙ୍କୁ ଭୋଗିବାକୁ ପଡୁଛି ଦୁର୍ଦ୍ଦଶା। ଗ୍ରାମବାସୀ ବହୁବାର ଗ୍ରାମ ଉନ୍ନୟନ ବିଭାଗ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବାକୁ ଉଦ୍ୟମ କରି ବିଫଳ ହୋଇଛନ୍ତି। ଗ୍ରାମ ମଧ୍ୟରେ ଜମି ରହୁଥିବା ପାଣି ନିଷ୍କାସନ ବ୍ୟବସ୍ଥା କରା ନ ଗଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ଗ୍ରାମର ଅରୁଣ ଭୂୟାଁ, ବସନ୍ତ ଦଣ୍ଡପାଟ, ହରେକୃଷ୍ଣ ଭୂୟାଁ, ପଞ୍ଚାନନା ସାହୁ, ପଞ୍ଚାନନ ଭୂୟାଁ, ଅଦୈତ୍ୟ ସାହୁ, ଲମ୍ବୁଦର ମାହାନା, ସୃଷ୍ଟିଧର ମାହାନା, ନୀଳାଦ୍ରି ରାଉତ, ବଂଶୀଧର ସାହୁ ପ୍ରମୁଖ ଚେତାବନୀ ଦେଇଛନ୍ତି।

Share