ଜିଲା ମୁଖ୍ୟ ଚିକିତ୍ସାଳୟରେ ପଙ୍ଖା ନାହିଁ

ଯାଜପୁର ଟାଉନ,୧୮।୪: (ଡି.ଏନ.ଏ.) ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଏବେ ଛଟପଟ ରୋଗୀ। ଅଧିକାଂଶ ସ୍ଥାନରେ ପଙ୍ଖା ନାହିଁ ା ଯେଉଁଠି ପଙ୍ଖା ଅଛି ତାହା ଅଚଳ ଅବସ୍ଥାରେ ଝୁଲୁଛି ା ଏବେ ତାପମାତ୍ର ୪୦ ଡିଗ୍ରୀ ଉପରେ ରହୁଥିବାରୁ ରୋଗୀମାନେ ଡାକ୍ତରଖାନାରେ ଛଟପଟ ହେଉଛନ୍ତି। ବହୁ ରୋଗୀ ହାତ ପଙ୍ଖା ବ୍ୟବହାର କରୁଥିବା ବେଳେ ଆଉ କେହି ପଙ୍ଖା କିଣି ବ୍ୟବହାର କରୁଥିବା ଦେଖିବାକୁ ମିଳିଛି ା
ସୂଚନା ଅନୁଯାୟୀ, ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳକୁ ଦୈନିକ ଶତାଧିକ ଗର୍ଭବତୀ ଏବଂ ଶିଶୁ ଚିକିତ୍ସା ପାଇଁ ଆସୁଛନ୍ତି। ଏହି ୫ ମହଲା ବିଶିଷ୍ଟ ଚିକିତ୍ସାଳୟରେ ଦୈନିକ ୩ଶହରୁ ଊର୍ଦ୍ଧ୍ୱ ରୋଗୀ ରହୁଥିବାବେଳେ ସେମାନଙ୍କ ସମ୍ପର୍କୀୟ ସଂଖ୍ୟା ବି ଅଧିକ ା ଏଥି ସହିତ ଡାକ୍ତରଖାନା କର୍ମଚାରୀମାନେ ବି ଅଛନ୍ତି ା କିନ୍ତୁ ଶିଶୁ ବିଭାଗର ପ୍ରତ୍ୟେକ ୱାର୍ଡକୁ ଛାଡିଦେଲେ ବାରଣ୍ଡାରେ ଲାଗିଥିବା ଶତାଧିକ ପଙ୍ଖାକୁ କାଢ଼ି ନିଆଯାଇଛି। ଏହା ବ୍ୟତୀତ ବାହାରେ ରହୁଥିବା ରୋଗୀମାନେ ଏବଂ ସେମାନଙ୍କ ସମ୍ପର୍କୀୟ ଗରମରେ ଛଟପଟ ହେଉଛନ୍ତି। ଶିଶୁ ବିଭାଗର ୫ ମହଲାରେ ପ୍ରାୟ ୫ଶହରୁ ଊର୍ଦ୍ଧ୍ୱ ପଙ୍ଖା ଲାଗିଥିବା ବେଳେ ୱାର୍ଡ ବ୍ୟତୀତ ଆଉ ସବୁ ଅଚଳ। ୨ଶହରୁ ଊର୍ଦ୍ଧ୍ୱ ପଙ୍ଖା ୨ମାସ ହେଲା ମରାମତି ପାଇଁ ଯାଇଥିବାବେଳେ କେତେକ ପଙ୍ଖା ଥାଇ କି ବି ଚାଲୁନାହିଁ। ଫଳରେ ରୋଗୀମାନେ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ପାଇଁ ବିଞ୍ଚଣା ହିଁ ଭରସା ସାଜିଛି। କେହି କେହି ଘରୁ କିମ୍ବା କିଣିକି ପଙ୍ଖା ଆଣିଥିଲେ ମଧ୍ୟ ସୁଇଚ୍‌ବୋର୍ଡରେ କରେଣ୍ଟ ଆସୁ ନ ଥିବାରୁ ତାହା ବି ବ୍ୟବହାର ହୋଇପାରୁ ନ ଥିବା ରୋଗୀଙ୍କ ସମ୍ପକୀୟମାନେ କହଛନ୍ତି। ଡାକ୍ତରଖାନାରେ ଲାଗିଥିବା ଫ୍ୟାନ୍‌ଗୁଡିକୁ ମରାମତି କରିବା ପାଇଁ କିଏ ନେଇଛି, ତାହା କେବେ ଫେରିବ ତାର ସୂଚନା କାହା ପାଖରେ ନାହିଁ। ଏନେଇ ଜିଲା ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ ଜଗଦୀଶ ପ୍ରସାଦ ଦାସଙ୍କୁ ପଚାରିବାରୁ ସେ ରାଗି ଯାଇ ନିଜର ଏସି ବନ୍ଦ କରି ଦେବା ସହ ସେ କୌଣସି କାମ କରିବାକୁ ଅଯୋଗ୍ୟ ବୋଲି କହିଛନ୍ତି। ଏନେଇ ଡାକ୍ତରଖାନା ମ୍ୟାନେଜର, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ବି କୌଣସି ସନ୍ତୋଷଜନକ ଉତ୍ତର ଦେଉନାହାନ୍ତି। ଏପରି ପରିସ୍ଥିତିରେ ରୋଗୀମାନେ କଷ୍ଟ ପାଉଥିବା ଅଭିଯୋଗ ହୋଇଛି ା

Share