ଭୁବନେଶ୍ୱର,୧୨ା୪(ଅନିଲ ଦାସ):ଏବେ ନାହିଁ ପ୍ରଚଣ୍ଡ ଗ୍ରୀଷ୍ମର ତେଜ କି ଗୁଳୁଗୁଳିର ପ୍ରକୋପ । କୋହଲା ପାଗ ସାଙ୍ଗକୁ ହାଲୁକା ବର୍ଷା ପରିବେଶକୁ ଆରାମଦାୟକ କରିଛି। ଗତ ୨/୩ ଦିନ ହେବ ଉପକୂଳଠାରୁ ଉପାନ୍ତ ଏଭଳି ମନୋରମ ପାଗ ଅନୁଭୂତ ହେଉଛି। ପାରଦ ୩୫ ଡିଗ୍ରୀ ତଳକୁ ଖସିଆସିଛି। ଏପରିକି ବହୁ ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୦ ଡିଗ୍ରୀ ତଳେ ରହିଛି। କେତେକ ସ୍ଥାନରେ ବର୍ଷା ହେଉ ନ ଥିଲେ ମଧ୍ୟ ଆକାଶ ମେଘାଚ୍ଛନ୍ନ କରି ରଖିଛି। ପଶ୍ଚିମା ବାୟୁ ପ୍ରବାହ ଯୋଗୁ ସମୁଦ୍ରଆଡୁ ପ୍ରଚୁର ଜଳୀୟ ବାଷ୍ପ ସ୍ଥଳ ଭାଗକୁ ଆସୁଛି। ରାଜ୍ୟର ଅଧିକାଂଶ ଜିଲାରେ କୋହଲା ପାଗ ସାଙ୍ଗକୁ ହାଲୁକା ବର୍ଷା ହେଉଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂଚନା ଅନୁଯାୟୀ, ଗତ ୪୮ ଘଣ୍ଟା ମଧ୍ୟରେ ବଲାଙ୍ଗୀରରେ ୨୧.୪ ମିଲିମିଟର ବର୍ଷା ହୋଇଥିବା ବେଳେ ସୋନପୁର ୧୪, ଫୁଲବାଣୀ ୭.୮, ନୂଆପଡ଼ା ୧୨.୪, ବରଗଡ଼ ୬.୩, ଢେଙ୍କାନାଳ ୫.୫, ସମ୍ବଲପୁର ୫.୩, ଝାରସୁଗୁଡ଼ା ୩.୩, ପାରାଦୀପ ୪.୪, ଅନୁଗୋଳରେ ୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏଭଳି ପାଗ ଆସନ୍ତା ୧୩ ତାରିଖ ଯାଏ ରହିବ। ୧୫ରୁ ପାରଦ ପୁଣି ଉପରମୁହଁା ହେବ। ୧୮ ତାରିଖରେ ସର୍ବୋଚ୍ଚ ତାପମାତ୍ରା ୪୪ରୁ ୪୫ ଡିଗ୍ରୀ ସେଲ୍ସିୟସକୁ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ୧୫ରୁ ୧୮ ତାରିଖ ମଧ୍ୟରେ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ତାତି ବଢ଼ିବ। ୨୦ ତାରିଖରେ ଉପକୂଳବର୍ତ୍ତୀ ଜିଲାର କେତେକ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୪ ଡିଗ୍ରୀ ସେଲ୍ସିୟସକୁ ଛୁଇଁବା ନେଇ ଆକଳନ କରାଯାଇଛି। ଅଧିକାଂଶ ସ୍ଥାନରେ ଗ୍ରୀଷ୍ମ ପ୍ରବାହ (ହିଟ୍ଓ୍ବେଭ) ଜାରି ରହିବ।