Categories: ଜାତୀୟ

ଭୟଭୀତ ହେବାର ଆବଶ୍ୟକତା ନାହିଁ

ବେଙ୍ଗାଲୁରୁ,୨।୧୨: ଗୁରୁବାର ପ୍ରଥମ ଥର ପାଇଁ ଦେଶରେ କୋଭିଡ୍‌-୧୯ର ଓମିକ୍ରନ ଭାରିଆଣ୍ଟାରେ ଆକ୍ରାନ୍ତ ହୋଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ବିଶ୍ୱର ୩୦ତମ ଦେଶ ଭାବେ ଭାରତରେ ଚିହ୍ନଟ ହୋଇଛି କରୋନା ଭାଇରସର ନୂଆ ଷ୍ଟ୍ରେନ। କିନ୍ତୁ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ବାଲ।

”ଦୁଇ ଆକ୍ରାନ୍ତ କର୍ନାଟକର ଏବଂ ସେମାନଙ୍କ ବୟସ ଯଥାକ୍ରମେ ୬୬ ଓ ୪୬। ଆକ୍ରାନ୍ତଙ୍କ ପ୍ରିଭେସିକୁ ସୁରକ୍ଷା ଦେବା ପାଇଁ ସେମାନଙ୍କ ନାମ ପ୍ରକାଶ କରାଯିବ ନାହିଁ। ଉଭୟଙ୍କ ସଂସ୍ପର୍ଶରେ ଆସିଥିବା ପ୍ରତ୍ୟେକଙ୍କୁ ଟ୍ରେସ କରାଯାଇ ସାରିଛି। ସେମାନଙ୍କ ଟେଷ୍ଟ ଚାଲିଛି। ଦୁହିଁଙ୍କ ଠାରେ ଏପର୍ଯ୍ୟନ୍ତ ଗୁରୁତର ଲକ୍ଷଣ ଦେଖାଯାଉ ନାହିଁ। ଓମିକ୍ରନ ଚିହ୍ନଟ ହୋଇଥିବାରୁ ଭୟଭୀତ ହେବାର ଆବଶ୍ୟକତା ନାହିଁ। କିନ୍ତୁ ସଚେତନତା ଅତ୍ୟନ୍ତ ଜରୁରୀ। କୋଭିଡ୍‌ ନିୟମର ପାଳନ କରନ୍ତୁ। ସମାବେଶରୁ ଦୂରେଇ ରୁହ“ ବୋଲି ଅଗ୍ରାଓ୍ବାଲ କହିଛନ୍ତି।

ସୂତ୍ରରୁ ଜଣାପଡ଼ିଛି ଯେ, ୬୬ ବର୍ଷୀୟ ଜଣେ ବିଦେଶୀ। ସେ ନିକଟରେ ଦକ୍ଷିଣ ଆଫ୍ରିକା ଯାଇଥିଲେ। ୪୬ ବର୍ଷୀୟ ଆକ୍ରାନ୍ତ ବେଙ୍ଗାଲୁରୁର ଜଣେ ସ୍ବାସ୍ଥ୍ୟ କର୍ମଚାରୀ। ଉଲ୍ଲେଖଯୋଗ୍ୟ, କୋଭିଡ୍‌-୧୯ର ନୂଆ ଭାରିଆଣ୍ଟ ଅନ୍ୟ ଅପେକ୍ଷା ଅତ୍ୟଧିକ ସଂକ୍ରାମକ। କିନ୍ତୁ ଏହା ଡେଲ୍ଟା ଭାରିଆଣ୍ଟ ଭଳି ମାରତ୍ମକ କି ନୁହେଁ ତାହାର କୌଣସି ପ୍ରମାଣ ମିଳିନାହିଁ।

Share