ଭଦ୍ରକ ଅଫିସ,୨।୯: ଭଦ୍ରକ ଜିଲା ଅନ୍ତର୍ଗତ ଆଗରପଡ଼ା ଜଳସେଚନ କାର୍ଯ୍ୟାଳୟ ଅଧିକାଂଶ ସମୟ ବନ୍ଦ ରହୁଥିବା ଦେଖାଯାଉଛି। କାର୍ଯ୍ୟାଳୟେରେ କର୍ମଚାରୀ କିମ୍ବା ଅଧିକାରୀ ରହୁନାହାନ୍ତି। ବିଭିନ୍ନ କାମରେ ଚାଷୀ ମାନେ କାମରେ ଆସି ନିରାଶ ହୋଇ ଫେରୁଛନ୍ତି। ସର୍ବନିମ୍ନ ୧୭ ଜଣ କର୍ମଚାରୀଙ୍କ ଆବଶ୍ୟକତା ଥିବା ବେଳେ ୨ ଗୋଟି ସେକ୍ସନର ମାତ୍ର ଜଣେ ସହକାରୀ ଯନ୍ତ୍ରୀଙ୍କୁ ନେଇ ଚାଲୁଛି ଅଫିସ। ଶାଳପଡ଼ା ଡ଼ିଭିଜନ ଅଧୀନ ଆଗରପଡ଼ାର ୩ନଂ ଓ ୪ନଂ ସେକ୍ସନ ଅଧୀନରେ ୨୮ ଗୋଟି ମାଇନର କାର୍ଯ୍ୟ କରୁଛି। ଏହି ୨୮ ଗୋଟି କେନାଲର ବନ୍ଧ ମରାମତି, ବର୍ଷା ଦିନରେ ସୃଷ୍ଟି ହେଉଥିବା ଘାଇ ବାନ୍ଧିବା ଆଦି ବିଭିନ୍ନ କାର୍ଯ୍ୟ ବାକି ପଡ଼ିଥିବା ବେଳେ ଚାଷୀ ମାନଙ୍କ ସମସ୍ୟା ଶୁଣିବା ପାଇଁ କାର୍ଯ୍ୟାଳୟରେ କେହି ରହୁ ନାହନ୍ତି। ପାଣି ପଞ୍ଚାୟତ ମାଧ୍ୟମରେ କରାଯାଉଥିବା ଚେକ୍ଡ୍ୟାମ୍, କଲଭର୍ଟ, ରାସ୍ତା, ପ୍ରୋଟେକ୍ସନ ୱାଲ ଆଦି କାର୍ଯ୍ୟ ଠିକ ଭାବେ ତଦାରଖ ହୋଇ ପାରୁ ନାହିଁ। ଏସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ଇଂ ପଦ୍ମପ୍ରିୟ ସାମଲ କହିଛନ୍ତି କର୍ମଚାରୀ ନିଯୁକ୍ତି ହୋଇ ନ ଥିବାରୁ ପ୍ରତ୍ୟେକ କାର୍ଯ୍ୟ ଅଧପନ୍ତରିଆ ଅବସ୍ଥାରେ ପଡ଼ି ରହିଛି। ସେ ନିଜେ ଅନେକ ସମୟ କ୍ଷେତ୍ର ପରିଦର୍ଶନରେ ଯାଉ ଥିବାରୁ ଅଫିସ ଖୋଲିବା ସମ୍ଭବପର ହେଉ ନାହିଁ। କର୍ମଚାରୀ ନ ଥିବା ନେଇ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି।