Categories: ଖେଳ

‘ଧୋନୀ ଭାଇଙ୍କ ଭଳି ଆଉ କେହି ନାହାନ୍ତି’

ନୂଆଦିଲ୍ଲୀ,୩୦।୮: ଭାରତୀୟ କ୍ରିକେଟ ଇତିହାସରେ ବିରାଟ କୋହଲି ହେଉଛନ୍ତି ଭାରତର ଅନ୍ୟତମ ସର୍ବଶ୍ରେଷ୍ଠ ଟେଷ୍ଟ ଅଧିନାୟକ। ସେ ଭାରତ ପାଇଁ ସର୍ବାଧିକ ଟେଷ୍ଟ ବିଜେତା ଅଧିନାୟକ। କୋହଲିଙ୍କ ଅଧିନାୟକତ୍ୱରେ ୬୮ଟି ମ୍ୟାଚରେ ଭାରତ ୪୦ଟି ଟେଷ୍ଟ ମ୍ୟାଚ ଜିତିଥିଲା। ଭାରତୀୟ ଅଧିନାୟକ ଭାବରେ କୋହଲିଙ୍କ କାର୍ଯ୍ୟକାଳର ଅନ୍ୟତମ ମୁଖ୍ୟ ଆକର୍ଷଣ ଥିଲା ଟିମ ଇଣ୍ଡିଆର ଭୟଙ୍କର ପେସ୍‌ ଆକ୍ରମଣ। ଏଥିରେ ଭାରତର ଦ୍ରୁତ ବୋଲରମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ପେସ୍‌ ବୋଲର ଇଶାନ୍ତ ଶର୍ମା ପ୍ରକାଶ କରିଛନ୍ତି ଯେ, ଏମଏସ ଧୋନୀ କିପରି ଏହି ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲେ ଏବଂ କୋହଲିଙ୍କୁ ଜଣେ ସଫଳ ଅଧିନାୟକ କରିବାରେ ସେ କିପରି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
ଇଶାନ୍ତ କହିଛନ୍ତି, ଧୋନୀ ଶ୍ରେଷ୍ଠ ଥିଲେ। ଯେତେବେଳେ ଆମେ ମାହି ଭାଇଙ୍କ ଅଧୀନରେ ଖେଳୁଥିଲୁ, ଆମ ଦଳ ଏକ ପରିବର୍ତ୍ତନ ପର୍ଯ୍ୟାୟରେ ଥିଲା। ସେତେବେଳେ ଶାମି ଏବଂ ଉମେଶ ନୂଆ ଥିଲେ ଏବଂ କେବଳ ମୁଁ ସେଠାରେ ଥିଲି। ଅନ୍ୟ ସମସ୍ତ ବୋଲରମାନେ ପରିବର୍ତ୍ତନ ଜାରି ରଖିଥିଲେ। ସେ କରିଥିବା ସର୍ବଶ୍ରେଷ୍ଠ କାର୍ଯ୍ୟ ହେଉଛି ସମସ୍ତଙ୍କ ଗୁଣକୁ ଚିହ୍ନିବା। ସେ ଭାରତର ପେସ୍‌ ବୋଲିଂ ବିଭାଗ ସଜାଡି କୋହଲିଙ୍କୁ ଦାୟିତ୍ୱ ଦେଇଥିଲେ। କୋହଲି ଏହାର ସମ୍ପୂର୍ଣ୍ଣ ଫାଇଦା ମଧ୍ୟ ଉଠାଇଥିଲେ। ତେଣୁ ଅଧିନାୟିକତ୍ୱରେ କୋହଲିଙ୍କ ସଫଳତା ପଉରେ ମାହି ଭାଇଙ୍କ ହାତ ରହିଛି। ତାଙ୍କ ଭଳି କ୍ରିକେଟର୍‌ ମିଳିବା କଷ୍ଟକର।
ଇଶାନ୍ତ ଭାରତ ପାଇଁ ୧୦୫ଟି ଟେଷ୍ଟ ମ୍ୟାଚ୍‌ ଖେଲିଛନ୍ତି। ୨୦୨୧ ଦକ୍ଷିଣ ଆଫ୍ରିକା ଗସ୍ତ ପରଠାରୁ ଟେଷ୍ଟ ଦଳର ଅଂଶ ହୋଇ ନାହାଁନ୍ତି।

Share