୮୩୦୦ ଗାଁକୁ ନାହିଁ ପକ୍କା ରାସ୍ତା

ଭୁବନେଶ୍ୱର,୩୧।୭(ଅନିଲ ଦାସ): ରାଜ୍ୟର ୮୩୦୦ଗାଁକୁ ପକ୍କା ରାସ୍ତା ନାହିଁ। ମାତ୍ର ୨୦,୧୪୦ଟି ଗାଁକୁ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ହୋଇପାରିଛି। ରାଜ୍ୟରେ ପ୍ରାୟ ୫୯,୯୭୧ ଗାଁ ଥିବାବେଳେ ସେଥିରୁ ମାତ୍ର ୨୦,୧୪୦ଟି ଗାଁରେ ପାଇପ୍‌ ଯୋଗେ ପାନୀୟ ଜଳଯୋଗାଣ ବ୍ୟବସ୍ଥା ସମ୍ଭବପର ହୋଇପାରିଛି। ଅର୍ଥାତ ୩୯,୮୩୧ଟି ଗାଁରେ ପାଇପ୍‌ ଯୋଗେ ପାନୀୟ ଜଳ ସୁବିଧା ନାହିଁ। ବିଜେଡି ବିଧାୟକ ଧ୍ରୁବଚରଣ ନାୟକଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ ମଙ୍ଗଳବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ଏପର୍ଯ୍ୟନ୍ତ ୨୦,୧୪୦ଟି ଗାଁକୁ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ହୋଇଛି। ରାଜ୍ୟର ସମସ୍ତ ଗାଁକୁ ଆସନ୍ତା ୨୦୨୫ ଡିସେମ୍ବର ସୁଦ୍ଧା ପାଇପ୍‌ ଯୋଗେ ଜଳଯୋଗାଣ କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି। ଏଥିରୁ କୌଣସି ପାନୀୟ ଜଳ ପ୍ରକଳ୍ପ ସମ୍ପୂର୍ଣ୍ଣ ଅଚଳ ଥିବା ବିଭାଗର ଦୃଷ୍ଟିଗୋଚର ହୋଇନାହିଁ। ପାଇପ୍‌ ଯୋଗେ ଜଳଯୋଗାଣ ଅଚଳ ହେବା ଅଭିଯୋଗ ଆସିଲେ ତୁରନ୍ତ ପଦକ୍ଷେପ ନିଆଯାଇ ୭୨ଘଣ୍ଟା ମଧ୍ୟରେ ମରାମତି କରାଯାଇ ପାନୀୟ ଜଳ ଯୋଗାଣ କରାଯାଇଥାଏ। ସେହିପରି ରାଜ୍ୟରେ ମୋଟ ୫୯,୯୭୧ଟି ଗାଁ ମଧ୍ୟରୁ ୫୧,୬୭୧ଟି ଗାଁକୁ ପକ୍କାରାସ୍ତା ନିର୍ମାଣ କରାଯାଇଛି। ବାକି ୮୩୦୦ ଗାଁକୁ ବିଭିନ୍ନ ଯୋଜନାରେ ପର୍ଯ୍ୟାୟକ୍ରମେ ପକ୍କା ରାସ୍ତା ସଂଯୋଗ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତ।

Share