ଜି.ଉଦୟଗିରି,୨୪ା୯(ଡି.ଏନ.ଏ.): ଜି.ଉଦୟଗିରି ବ୍ଲକର କଳିଙ୍ଗା ପଞ୍ଚାୟତ ଅନ୍ତର୍ଗତ ଡୁଗୁଡ଼ିପାରି ହେଉଛି ଏକ ରାଜସ୍ବ ଗ୍ରାମ। ଯାହାର ଜନସଂଖ୍ୟା ପ୍ରାୟ ଦୁଇ ହଜାର ପାଖାପାଖି। କିନ୍ତୁ ଦୁଃଖର ବିଷୟ ଏହି ଗ୍ରାମକୁ ଭଲ ରାସ୍ତାଟିଏ ନ ଥିବାରୁ ଆମ୍ବୁଲାନ୍ସ ଏପରିକି ସାମାନ୍ୟ ବର୍ଷା ହେଲେ ଅଟୋଟିଏ ଯାଇ ନ ପାରିବାରୁ ରୋଗୀ ଓ ଗର୍ଭବତୀଙ୍କୁ ଅସୁବିଧା ହେଉଛି। ଏହି ଗ୍ରାମକୁ ତିନିପଟୁ ସଂଯୋଗ ଥିଲେ ମଧ୍ୟ କୌଣସି ରାସ୍ତା ଭଲ ନାହିଁ। ଏହି ଗ୍ରାମଟି କଳିଙ୍ଗାଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଅବସ୍ଥିତ। ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନାହିଁ। ପିଲାମାନେ ସ୍କୁଲ ଓ କଲେଜ ଯିବା ଅସୁବିଧା ହେଉଛି। ତେଣୁ ଶୀଘ୍ର ପକ୍କା ରାସ୍ତା ନିର୍ମାଣ କରାନଗଲେ ଗ୍ରାମବାସୀମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି କହିଛନ୍ତି।