ଶବରପଡା ଗାଁକୁ ନାହିଁ ସବୁଦିନିଆ ରାସ୍ତା: ଜମି ହିଡ ପାଲଟିଛି ରାସ୍ତା

କୋକସରା, ୫।୧୨ (ଡି.ଏନ.ଏ)- କଳାହାଣ୍ଡି ଜିଲା କୋକସରା ବ୍ଲକ ଡୁଡକାଠେଙ୍ଗା ପଞ୍ଚାୟତର ଶବରପଡାର ଗାଁକୁ ସବୁ ଦିନିଆ ଭଲ ରାସ୍ତା ନ ଥିବାବେଳେ ଯାତାୟତ ପାଇ ଜମି ହିଡ ହିଁ ଭରସା। ଏଥିପାଇଁ ଲୋକେ ଯାତାୟତରେ ଅନେକ ଅସୁବିଧାର ସମ୍ମୁଖିନ ଭୋଗୁଛନ୍ତି। ହେଲେ ସରକାରୀ ଅଧିକାରୀମାନେ ଅନେକ ଥର ଗାଁ ରାସ୍ତା ଦେଖିକି ଗଲେ ଓ ତଦାରଖ ବି କଲେ । କିଛି ଦୂର ରାସ୍ତାରେ କାମ ମଧ୍ୟ ଆରମ୍ଭ ହେଲା, କିନ୍ତୁ ଅଧାବାଟରେ ଅଟକି ରହିଲା ରାସ୍ତା। ଗାଁରେ ସରକାରଙ୍କ ଅନେକ ଯୋଜନା ପହଞ୍ଚତ୍ ସାରିଛି ହେଲେ ସବୁଦିନିଆ ରାସ୍ତା ନ ଥିବା ଯୋଗୁ ସମସ୍ୟା ଭୋଗୁଛନ୍ତି ଶବରପଡାବାସୀ । ଏହି ଗାଁ ବସତି ହୋଇ ପ୍ରାୟ ୪୦ ବର୍ଷ ପାଖାପାଖି ହେବ, ଏଠାରେ ୧୪ ପରିବାରର ଜନସଂଖ୍ୟା ପ୍ରାୟ ୧୫୦ରୁ ଊର୍ଦ୍ଧ ବସବାସ କରୁଛନ୍ତି। ଗାଁରେ ସରକାରୀ ଯୋଜନାରେ ଆବାସ ଘର, ନଳକୂପ, ବିଜୁଲି, ଭତ୍ତା ଭଳି ଅନେକ ସୁବିଧା ମିଳିଛି। ହେଲେ ଗାଁକୁ ସବୁଦିନିଆ ଭଲ ରାସ୍ତା ନାହିଁ। ସବୁଠୁ କୌତୁହଳର କଥା ହେଲା ଗାଁ ରେ ଯୁବକମାନଙ୍କୁ ବାହା ହେବାକୁ ଝିଅ ଦେବାକୁ ଅମଙ୍ଗ ହେଉଛନ୍ତି ଝିଅ। କାରଣ ପ୍ରତିବନ୍ଧକ ସାଜିଛି ରାସ୍ତା । ଆଉ ଗାଁରେ ବନ୍ଧୁବାନ୍ଧବ ଥରେ ଆସିଲେ ଆଉମନା କରୁଥିବା ମଧ୍ୟ କହିଛନ୍ତି ଗ୍ରାମବାସୀ। ସବୁଦିନିଆ ଭଲ ରାସ୍ତା ନ ଥିବାରୁ ବିଗତ ବର୍ଷରେ ଦେବରାଜ ଶବର ଓ ଯୁଧିଷ୍ଠିର ମାଝୀଙ୍କ ପ୍ରସୂତି ସ୍ତ୍ରୀଙ୍କୁ ଦୋଳାରେ ଡାକ୍ତରଖାନାକୁ ନେବା ସମୟରେ ଅଧାବାଟରେ ଜୀବନ ମଧ୍ୟ ଯାଇଥିବା ଗାଁ ଲୋକେ ପ୍ରକାଶ କରିଛନ୍ତି । ରାସ୍ତା ସମସ୍ୟା ଯୋଗୁ ଗାଁର ଅଧିକାଂଶ ପିଲା ମୂର୍ଖ ହେଲେଣି, କାରଣ କେହି ବି ସ୍କୁଲର ମୁହଁ ମାଡୁନାହାନ୍ତି କି ଅଭିଭାବକ ମଧ୍ୟ ପିଲାଙ୍କୁ ଜଙ୍ଗଲ ରାସ୍ତା ଦେଇ ପ୍ରାୟ ୨ କିମି ଦୂରରେ ଥିବା ବନ୍ଧପଡା ପ୍ରାଥମିକ ବିଦ୍ୟାଳୟ ଯିବାକୁ ସୁରକ୍ଷିତ ମନେ କରୁନାହାନ୍ତି। ବର୍ଷା ମାସର ଦୁଃଖ ନ କହିବା ଭଲ, ଆଉ ଗ୍ରାମବାସୀଙ୍କୁ ଗୃହବନ୍ଧି ଜୀବନ ଯାପନ କରିବାକୁ ପଡିଥାଏ । ଏହି ସବୁ ସମସ୍ୟା ଭିତରେ ଦିନ କାଟୁଥିବା ଗ୍ରାମବାସୀ ଜିଲା ପ୍ରଶାସନଠାରୁ ଆରମ୍ଭ କରି ନେତା, ମନ୍ତ୍ରୀଙ୍କୁ ରାସ୍ତା ପାଇଁ ଗୁହାରି କରି ଥକି ପଡିଥିବା ଶବରପଡା ଗାଁର ସୁରେନ୍ଦ୍ର ସାହୁ, ବିଜୟ ଶବର, ଜିତେନ୍ଦ୍ର ଶବର, ଗଙ୍ଗାଧର ଶବର, ଟଙ୍କଧର ଶବର, କିଶୋର ଶବର, କୋକିଳ ଶବର, ଈଶ୍ୱ ଶବର, ରାମ ପ୍ରସାଦ ଶବର, ଲୀଳାମ୍ବର ଶବର, ଦୁର୍ବଳ କଟା, ଶଙ୍କର ନାଏକ, ବଣୁଆ ନାଏକ ପ୍ରମୁଖ ଗ୍ରାମବାସୀମାନେ କହିଛନ୍ତି । ଏ ନେଇ କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୀଷା ଦାସଙ୍କୁ ପଚାରିବାରୁ ସେହି ଗାଁକୁ ଆମେ କନିଷ୍ଠ ଯନ୍ତ୍ରୀକୁ ପଠେଇ ଥିଲୁ। ଗାଁକୁ ଯିବା ରାସ୍ତାରେ କିଛି ଜମିର ବିବାଦ ରହିଛି, ତାକୁ ଆମେ ଆଗାମୀ ଦିନରେ ଏକ ବୈଠକ କରି ଗ୍ରାମବାସୀଙ୍କ ସହ ଆଲୋଚନା ପରେ ମନରେଗା ଯୋଜନାରେ ରାସ୍ତା ତିଆରି କରାଯିବା ନେଇ କହିଛନ୍ତି ।