ଆତଙ୍କବାଦ ବିରୋଧୀ ଲଢ଼େଇରେ ‘ଯଦି, କିନ୍ତୁ’ର ସ୍ଥାନ ନାହିଁ

ଓ୍ବାଶିଂଟନ, ୨୪ା୬: ଆତଙ୍କବାଦ ମାନବଜାତିର ଶତ୍ରୁ। ଆତଙ୍କବାଦ ବିରୋଧୀ ଲଢ଼େଇରେ ଯଦି ଏବଂ କିନ୍ତୁ ରହିପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଆମେରିକା କଂଗ୍ରେସର ମିଳିତ ଅଧିବେଶନକୁ ସମ୍ବୋଧିତ କରି କହିିଛନ୍ତି। ୯/୧୧ ଆକ୍ରମଣକୁ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ବିତିଥିବାବେଳେ ୨୬/୧୧ ମୁମ୍ବାଇ ଆକ୍ରମଣକୁ ଏକ ଦଶନ୍ଧିରୁ ଅଧିକ ହେଲାଣି। ଏବେ ବି ଆତଙ୍କବାଦ ଓ ମୌଳବାଦ ସାରା ବିଶ୍ୱ ପାଇଁ ବିପଦ ହୋଇ ରହିଥିବା ମୋଦି କହିଛନ୍ତି। ଏହିସବୁ ବିଚାରଧାରା ସେମାନଙ୍କୁ ନୂଆ ପରିଚୟ ଦେଇଥିଲେ ମଧ୍ୟ ଉଦ୍ଦେଶ୍ୟ ସମାନ ରହିଛି। ଆତଙ୍କବାଦ ସାରା ମାନବଜାତିର ଶତ୍ରୁ। ଆତଙ୍କବାଦର ପ୍ରାୟୋଜକ ଏବଂ ରପ୍ତାନିକାରୀ ଶକ୍ତିଙ୍କୁ ପରାଜିତ କରିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିବା ବେଳେ କଂଗ୍ରେସ ସଦସ୍ୟମାନେ ‘ମୋଦି, ମୋଦି’ ସ୍ଲୋଗାନ ଦେଇଥିଲେ।
ସେହିପରି ଚାଇନା ନାଁ ନ ନେଇ ପ୍ରଧାନମନ୍ତ୍ରୀ କହିଥିଲେ, ବୈଶ୍ୱିକ ଶୃଙ୍ଖଳା ଆମେରିକା ଚାର୍ଟରର ନିୟମାବଳୀ, ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ, ସାର୍ବଭୌମତ୍ୱକୁ ସମ୍ମାନ ଏବଂ ଆଞ୍ଚଳିକ ସଂହତି ଆଧାରରେ ଚାଲୁଛି। ବଳପ୍ରୟୋଗ ଓ ବିରୋଧର କଳାବାଦଲ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରକୁ ଘୋଡ଼ାଇ ରଖିଛି। ଆଞ୍ଚଳିକ ସ୍ଥାୟିତ୍ୱ ଆମ ବନ୍ଧୁତ୍ୱ ପାଇଁ ମୁଖ୍ୟ ଚିନ୍ତାର ବିଷୟ ହୋଇଛି ବୋଲି ମୋଦି ଚାଇନାର ଆକ୍ରମଣାତ୍ମକ ଆଚରଣକୁ ଆକ୍ଷେପ କରି କହିଛନ୍ତି। ଇଣ୍ଡୋ-ପାସିଫିକ୍‌ ସମେତ ଏକ ମୁକ୍ତ ଓ ଉନ୍ମୁକ୍ତ ସୁରକ୍ଷିତ ଜଳରାଶି ସଂଯୋଗ ପାଇଁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଥିଲେ। ଦେଶଗୁଡ଼ିକର ବିକାଶ ଋଣ ବୋଝର ଚାପରେ ଶ୍ୱାସରୁଦ୍ଧ ନ ହେଉ ଏବଂ ଯୋଗାଯୋଗରୁ ରଣନୀତିକ ଉଦ୍ଦେଶ୍ୟର ଫାଇଦା ଉଠା ନ ଯାଉ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଆମେରିକାର ଆଇନ ପ୍ରଣେତାମାନେ ମୋଦିଙ୍କ ଉଦ୍‌ବୋଧନକୁ ଉଚ୍ଚ ପ୍ରଶଂସା କରିଛନ୍ତି।

Share