ବର୍ଷା ନାହିଁ, ଚାଷଜମିରେ ଗୋରୁ ଛାଡ଼ିଲେ ଚାଷୀ

କୋକସରା,୩୦ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକରେ ନିଅଣ୍ଟିଆ ବର୍ଷା ଯୋଗୁ ଅନେକ ପଞ୍ଚାୟତରେ ସମ୍ଭାବ୍ୟ ମରୁଡ଼ି ପରିସ୍ଥିତି ଦେଖାଦେଇଛି। ନିଅଣ୍ଟିଆ ବର୍ଷା ଯୋଗୁ ମାଟି ଫାଟି ଆଁ କରିଥିବା ବେଳେ ନିଜର ସୁନାର ଫସଲ ଆଖି ଆଗରେ ଉଜୁଡିବା ଦେଖି ଚାଷୀମାନେ ନିରାଶ ହୋଇ ଚାଷଜମିରେ ଗୋରୁ ଛାଡ଼ିଥିବା ଦେଖିବାକୁ ମିଳିଛି।

ଏମିତି ଦୃଶ୍ୟ ଦେଖିବାକୁ ମିଳିଛି, କୋକସରା ବ୍ଲକ କାଉଡୋଳା ପଞ୍ଚାୟତର କୁସୁମଖୁଣ୍ଟି ଗାଁରେ। ଗାଁର ଅନେକ ଚାଷୀ ଚାଷ ହେବା ଆଶା ଛାଡ଼ି ବୁଧବାର ଚାଷଜମିରେ ଗୋରୁ, ଛେଳିମେଣ୍ଡା ପଲ ଛାଡ଼ି ଦେଇଛନ୍ତି। ଚଳିତ ବର୍ଷ ଅନାବୃଷ୍ଟି କାରଣରୁ ବ୍ଲକର ଅନେକ ପଞ୍ଚାୟତରେ ଉତ୍କଟ ମରୁଡ଼ି ପରିସ୍ଥିତି ଦେଖାଦେଇଛି। ଏହି ଅଞ୍ଚଳରେ ଚାଷ ପାଇଁ ଜଳସେଚନର କୌଣସି ସୁବିଧା ନାହିଁ। କେବଳ ବର୍ଷାକୁ ଭରସା କରି ଚାଷୀମାନେ ଚାଷ କାର୍ଯ୍ୟ ଉପରେ ନିର୍ଭର କରୁଥିବା ବେଳେ ଚାଷୀମାନେ ଚାଷକାର୍ଯ୍ୟ ପାଇଁ ବିଭିନ୍ନ ବ୍ୟାଙ୍କ, ଫାଇନାନ୍ସ କମ୍ପାନୀ, ମହାଜନି ଋଣ ଆଣି ଚାଷ କରିଥିଲେ। ହେଲେ ନିଅଣ୍ଟିଆ ବର୍ଷା ଚାଷୀଙ୍କ ସବୁ ଆଶାକୁ ନିରାଶାରେ ବଦଳେଇ ଦେଇଛି। ଆଗକୁ ଆଉ ବର୍ଷା ହେଲେ ମଧ୍ୟ ଚାଷ ହେବା ନେଇ ଆଶା ଛାଡ଼ି କୁସୁମଖୁଣ୍ଟି ଗାଁ ଅନେକ ଚାଷୀ ନିଜ ଚାଷଜମିରେ ଗୋରୁ, ଛେଳିମେଣ୍ଢା ପଲକୁ ଛାଡ଼ିଥିବା କହିଛନ୍ତି। ଆଗକୁ ସରକାର ଚାଷୀଙ୍କ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ନ ଦେଲେ ଦାଦନ ଯିବା ହିଁ ଏକମାତ୍ର ରାସ୍ତା ବୋଲି କ୍ଷତିଗ୍ରସ୍ତ ଚାଷୀମାନେ କହିଛନ୍ତି। କାଉଡୋଳା ଓ କୁସୁମଖୁଣ୍ଟି ଗ୍ରାମର ଚାଷୀ ନୀଳମାଧବ ସାହୁ, ତରୁଣ ଧ.ମାଝି, ଦିନେଶ କୁମାର ଧ. ମାଝି, ବିନୋଦ ଧ. ମାଝି, ଯୁଗେଶ୍ୱର ନାଗ, ମାନସିଂ ପାଣିଗ୍ରାହୀ, ଗୁପ୍ତେଶର ଧ. ମାଝିଙ୍କ ସମେତ ଅନ୍ୟ ଚାଷୀ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ନେଇ ଅଭିଯୋଗ କରିଛନ୍ତି।

Share