Categories: ଜାତୀୟ

ଚାଷୀଙ୍କ ମୃତ୍ୟୁର ରେକର୍ଡ ନାହିଁ, ଅନୁକମ୍ପାମୂଳକ ସହାୟତା ଦେବାରେ ପ୍ରଶ୍ନ ଉଠୁନି…

ନୂଆଦିଲ୍ଲୀ,୧।୧୨: ବିବାଦୀୟ କୃଷି ଆଇନ ରଦ୍ଦ କରିବାକୁ ଦାବି କରି ଏକ ବର୍ଷ ଧରି ଚାଲିଥିବା ଆନ୍ଦୋଳନରେ କେତେ ଚାଷୀଙ୍କ ମୃତ୍ୟୁ ଘଟିଛି ତାହାର କୌଣସି ରେକର୍ଡ ନାହିଁ ବୋଲି କେନ୍ଦ୍ର ସରକାର କହିଛନ୍ତି। ତେଣୁ ଆର୍ଥିକ ସହାୟତା ଦେବାର ପ୍ରଶ୍ନ ଉଠୁନାହିଁ । କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଲୋକସଭାରେ ‘କୃଷି ଆଇନ ଆନ୍ଦୋଳନ’କୁ ନେଇ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି।

ଅନ୍ୟାନ୍ୟ ପ୍ରଶ୍ନ ମଧ୍ୟରେ ଚାଷୀଙ୍କ ବିରୋଧରେ ପଞ୍ଜିକୃତ ହୋଇଥିବା ମାମଲାଗୁଡ଼ିକର ସଂଖ୍ୟା ମଧ୍ୟ ଲୋଡ଼ା ଯାଇଥିଲା। ରାଜଧାନୀ ଦିଲ୍ଲୀରେ ଏବଂ ଆଖପାଖ ଅଞ୍ଚଳରେ ଚାଲିଥିବା ଆନ୍ଦୋଳନ ସମୟରେ କେତେଜଣ ଚାଷୀଙ୍କ ମୃତ୍ୟୁ ଘଟିଛି ଏବଂ ଉକ୍ତ ଆନ୍ଦୋଳନ ସମୟରେ ମୃତ କୃଷକଙ୍କ ପରିବାରକୁ ସରକାର ଆର୍ଥିକ ସହାୟତା ପ୍ରଦାନ କରିବାକୁ ସରକାରଙ୍କର ପକ୍ଷରୁ କିଛି ଯୋଜନା ରହିଛି କି ନାହିଁ ତାହା ଲିଖିତ ପ୍ରଶ୍ନ ମାଧ୍ୟମରେ ପଚରା ଯାଇଥିଲା।

ଏନେଇ କୃଷି ମନ୍ତ୍ରଣାଳୟର ଏକ ସ୍ପଷ୍ଟ ଉତ୍ତର ଥିଲା ଯେ ଏହାର କୌଣସି ରେକର୍ଡ ନାହିଁ। ତେଣୁ ଆର୍ଥିକ ସହାୟତା ଦେବାର ପ୍ରଶ୍ନ ଉଠୁନାହିଁ। ସରକାର କୃଷକ ନେତାଙ୍କ ସହ ୧୧ ରାଉଣ୍ଡ ଆଲୋଚନା କରି ଥିବା ନେଇ କୃଷିମନ୍ତ୍ରୀ ବିସ୍ତୃତ ଭାବରେ ସୂଚନା ପ୍ରଦାନ କରିଥିଲେ। ଆନ୍ଦୋଳନ ସମୟରେ ୭୦୦ରୁ ଅଧିକ ଚାଷୀଙ୍କ ମୃତ୍ୟୁ ଘଟିଥିବା କୃଷକ ସଂଗଠନଗୁଡ଼ିକ ପକ୍ଷରୁ ଦାବି କରାଯାଇଛି। ତିନି ବିବାଦୀୟ ଆଇନକୁ ରଦ୍ଦ କରିବାର ଦାବିକୁ ନେଇ ଏକ ବର୍ଷ ଧରି ଚାଲିଆସୁଥିବା ଆନ୍ଦୋଳନ ସମୟରେ କୃଷକଙ୍କ ବିରୋଧରେ ପଞ୍ଜୀକୃତ ମାମଲା ପ୍ରତ୍ୟାହାର ଏବଂ ମୃତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ଏବଂକୃଷକଙ୍କ ଆନ୍ଦୋଳନ ସମୟରେ ମୃତ ଚାଷୀଙ୍କ ପରିବାର ପାଇଁ ଥଇଥାନ ଦାବି ମଧ୍ୟ ଏହି ପ୍ରଶ୍ନରେ ଥିଲା।

ଏହି ଆନ୍ଦୋଳନରେ ମୃତ୍ୟୁ ଘଟିଥିବା ଚାଷୀମାନଙ୍କୁ କୃଷକ ନେତାମାନେ ଶହୀଦ କୃଷକ ବୋଲି କହିଛନ୍ତି। ଏହି ଆନ୍ଦୋଳନର ନେତୃତ୍ୱ ନେଉଥିବା ୟୁନାଇଟେଡ କିସାନ ମୋର୍ଚ୍ଚା ଦାବି କରିଛି ଯେ ଗତ ବର୍ଷ ଠାରୁ ଜାରି ରହିଥିବା ଆନ୍ଦୋଳନ ସମୟରେ ୭୦୦ ଜଣ ଚାଷୀଙ୍କ ମୃତ୍ୟୁ ହୋଇଛି।

Share