ଖରାଦିନ ବାତ୍ୟା ତେଣୁ ବନ୍ୟା ଆଶଙ୍କା ନାହିଁ: ଜଳ ସମ୍ପଦ ଯନ୍ତ୍ରୀ

ଭୁବନେଶ୍ୱର,୨୧ା୫(ବ୍ୟୁରୋ): ଉତ୍ତର ଆଣ୍ଡାମାନ ଏବଂ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ବାତ୍ୟା ‘ୟାସ୍‌’ ଭୟଙ୍କର ହୋଇପାରେ। ଏହା ଓଡ଼ିଶା କିମ୍ବା ପଶ୍ଚିମବଙ୍ଗରେ ତାଣ୍ଡବ ରଚିବା ସମ୍ଭାବନା ରହିଛି। ଯଦିଓ ବାତ୍ୟାର ଚିତ୍ର ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ଆସନ୍ତା ୨୨ ତାରିଖରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ଆଶଙ୍କା ରହିଛି। ୨୪ରୁ ୨୬ ତାରିଖ ସକାଳ ସୁଦ୍ଧା ଏହା ବାତ୍ୟାର ରୂପ ନେଇପାରେ। ତେବେ ଏହା ଖରାଦିନ ବାତ୍ୟା ହୋଇଥିବାର ଏଥିରେ ବନ୍ୟା ଆଶଙ୍କା ନାହିଁ ବୋଲି ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ କହିଛନ୍ତି। ସେ କହିଛନ୍ତି, ଆର୍‌ଡି, ପୂର୍ତ୍ତ ଏବଂ ଜଳ ସମ୍ପଦ ବିଭାଗ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲାଯିବ। ଯେଉଁଠି ଯାହା ଅସୁବିଧା ହେବ ଲୋକେ ସଙ୍ଗେ ସଙ୍ଗେ ସୂଚନା ଦେବେ। ସେଥିପାଇଁ ପ୍ରଶାସନ ପ୍ରସ୍ତୁତ ରହିଛି। ବନ୍ଧଗୁଡ଼ିକ ଉପରେ କଡ଼ା ନଜର ରଖାଯାଇଛି। ସମ୍ଭାବ୍ୟ ବାତ୍ୟା ନେଇ ୧୦ଟି ଜିଲା ପାଇଁ ସରକାର ପ୍ରସ୍ତୁତ ଥିବା ସେ କହିଛନ୍ତି।

Share