ରାସ୍ତା ନାହିଁ, ଦୁର୍ଦ୍ଦଶା ଭୋଗୁଛନ୍ତି ଡାଙ୍ଗାସିବାସୀ

ରାଇକିଆ,୨୮ା୩(ଡି.ଏନ୍‌.ଏ):ରାସ୍ତା ନାହିଁ, ୫ କି.ମି. ଦୁର୍ଗମ ଜଙ୍ଗଲ ମଧ୍ୟରେ ଘାଟି ପାହାଡ଼ ଚଢ଼ି ଗଲେ ପହଞ୍ଚି ହୁଏ କନ୍ଧମାଳ ଜିଲା ରାଇକିଆ ବ୍ଲକର ମାଣିକେଶ୍ୱର ପଞ୍ଚାୟତର ଡାଙ୍ଗିସି ଗ୍ରାମରେ। କନ୍ଧମାଳ- ଗଞ୍ଜାମ ଜିଲା ସୀମାନ୍ତରେ ଥିବା ଏହି ଗ୍ରାମରେ ସରକାରର ସବୁ ଯୋଜନା ଅପହଞ୍ଚ। ରାସ୍ତାଠାରୁ ଆରମ୍ଭ କରି ଶିକ୍ଷା,ସ୍ବାସ୍ଥ୍ୟ ଭଳି ଜରୁରୀ ସେବାରୁ ବଞ୍ଚିତ ହେଉଛନ୍ତି ଗ୍ରାମବାସୀ । ଗାଁରେ ପ୍ରାଥମିକ ବିଦ୍ୟାଳୟ ନାହିଁ କି ଅଙ୍ଗନଓ୍ବାଡି କେନ୍ଦ୍ର ନାହିଁ। ଗାଁରେ ଏକାଧିକ ପିଲା ବିଦ୍ୟାଳୟରେ ନାମ ଲେଖାଇ ନ ପାରି ଅଧାରୁ ପାଠ ଛାଡ଼ିଛନ୍ତି। ସର୍ବନିମ୍ନ ସ୍ବାସ୍ଥ୍ୟସେବା ପାଇବାକୁ ହେଲେ ୨୫ କି.ମି. ଦୂର ରାଇକିଆ ସହର ଉପରେ ନିର୍ଭରଶୀଳ । ଏ ସବୁ ସମସ୍ୟା ଭିତରେ ସବୁଠାରୁ ବଡ଼ ଚାଲେଞ୍ଜ ଭାବେ ଦେଖା ଦେଇଛି ରାସ୍ତା କାମ । ଅଧାପନ୍ତରିଅ ଭାବେ ରାସ୍ତା କାମ ଛାଡ଼ି ଦିଆଯାଇଥିବାରୁ ଗଁାକୁ ଦୁଇଚକିଆ ଯାନ ମଧ୍ୟ ଯାଇପାରୁନାହିଁ । କାମ ଶେଷ କରିବା ପାଇଁ ଅନେକ ଥର ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏପରି କି ଜିଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ମାଧ୍ୟମରେ ଦୁଇ ଥର ଅଭିଯୋଗ ମଧ୍ୟ କରିଛନ୍ତି । ୧୪ ପରିବାର ବସବାସ କରୁଥିବା ଏହି ଗ୍ରାମରେ ସବୁ ଘର ମାଟି ଓ କଚାଘର । ଆବାସ ଯୋଜନା ପାଇବା ପାଇଁ କିଛି ଗ୍ରାମବାସୀଙ୍କ ତାଲିକାରେ ନାମ ଥିଲେ ମଧ୍ୟ ରାସ୍ତା ନଥିବାରୁ ଘର ତିଆରି ସରଞ୍ଜାମ ଆଣିବାରେ ଅସୁବିଧା ଯୋଗୁ ଘର ତିଆରି କରିପାରୁ ନାହାନ୍ତି। ପଞ୍ଚାୟତ କାର୍ଯ୍ୟାଳୟକୁ ଆସି ନ ପାରି ଭତ୍ତାରୁ ବଞ୍ଚିତ ହେଉଛନ୍ତି ବୃଦ୍ଧାବୃଦ୍ଧ । ଗାଁରେ ଥିବା ଏକ ମାତ୍ର ଚୁଆ ଓ ଝରଣା ପାଣିକୁ ଗ୍ରାମବାସୀ ବ୍ୟବହାର କରୁଛନ୍ତି। ଖରାଦିନେ ଝରଣା ଶୁଖିଗଲେ ୨କି.ମି. ପାହାଡ ଚଢି ପାଣି ଆଣିବାକୁ ପଡୁଛି। ଏସବୁ ଭିତରେ ସାଧାରଣ ଜୀବନ ବିତାଇବା ପାଇଁ ଗ୍ରାମବାସୀ ସଂଘର୍ଷ କରୁଛନ୍ତି । ଭୋଟ ଦେଲା ବେଳେ ମଧ୍ୟ ଘାଟି ପାହାଡ ଚଢି ଭୋଟ ଦାନ କରୁଛନ୍ତି। ଏ ନେଇ ଗ୍ରାମର ମଞ୍ଜୁଳା ପ୍ରଧାନ କୁହନ୍ତି, ଗାଆଁକୁ ରାସ୍ତା ନ ଥିବାରୁ ନା ଏଠାରେ ବିଦ୍ୟାଳୟ ଅଛି ନା ଅଙ୍ଗନଓ୍ବାଡି ଗୃହ ଅଛି, ପିଲାମାନେ ପାଠ ପଢି ପାରୁନାହାନ୍ତି। ଦେହ ଖରାପ ହେଲେ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ପାରୁନାହୁଁ । ସାବିତ୍ରୀ ମଲ୍ଲିକ କୁହନ୍ତି, ପିଇବା ପାଣି ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ଝରଣାପାଣି ଉପରେ ନିର୍ଭର କରୁଛନ୍ତି, ରାସ୍ତା ନ ଥିବାରୁ ନଳକୂପଟିଏ ମଧ୍ୟ ଗ୍ରାମରେ ନାହିଁ ।