ବାଲିଗୁଡ଼ା,୨୧।୧୨(ଡି.ଏନ୍.ଏ.): କନ୍ଧମାଳର ବିକାଶ ପାଇଁ ସରକାରୀସ୍ତରରେ ସ୍ବତନ୍ତ୍ର ଯୋଜନା ରହିଛି। ହେଲେ ଏବେ ମଧ୍ୟ ଅନେକ ଅଞ୍ଚଳରେ ବିକାଶ ଅପହଞ୍ଚ ହୋଇଛି। ଫଳରେ ବର୍ଷବର୍ଷ ଧରି ଲୋକେ କାଠଗଣ୍ଡିରେ ବିପଦସଙ୍କୁଳ ଅବସ୍ଥାରେ ଯାତାୟାତ କରୁଛନ୍ତି। ଏହା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଟିକାବାଲି ବ୍ଲକରେ। ଉକ୍ତ ବ୍ଲକର ଗଦଗୁଡ଼ା ପଞ୍ଚାୟତର ପେନାଲା ଗ୍ରାମର ପିଲାଠାରୁ ଆରମ୍ଭ କରି ବୟସ୍କ ସମସ୍ତେ ଜୀବନକୁ ବାଜି ଲଗାଇ ଏହି କାଠଗଣ୍ଡି ଉପରେ ଚଳାଚଳ କରୁଛନ୍ତି। ଏହି ବାଟ ନିକଟତର ହେଉଥିବାରୁ କାଠ ଉପରେ ଯାତାୟାତ କରନ୍ତି ବୋଲି ପେନାଲ ଗ୍ରାମର ଆଦିବାସୀ କହିଛନ୍ତି। ଏହାର ସମାଧାନ ପାଇଁ ବିଡିଓଙ୍କଠାରୁ ଆରମ୍ଭ କରି ଜିଲାପାଳଙ୍କୁ ଗ୍ରାମବାସୀ ମୌଖିକ ଓ ଲିଖିତ ଅଭିଯୋଗ କରିଥିଲେ, କିନ୍ତୁ ଫଳଶୂନ ବୋଲି କହିଛନ୍ତି।
ନିର୍ବାଚନ ସମୟରେ ଭୋଟ ପାଇଁ ନେତା ଆସି ପୋଲ ଓ ରାସ୍ତା କରିଦେବେ ବୋଲି ପ୍ରତିଶ୍ରୁତି ଦେଇ ଫେରନ୍ତି। କିନ୍ତୁ ନିର୍ବାଚନ ସରିଲେ କାହାର ଦେଖା ମିଳେନାହିଁ ବୋଲି ଗ୍ରାମବାସୀ କହିଛନ୍ତି। ପଲ୍ଲିସଭାରେ ମଧ୍ୟ ଅନେକ ଥର ରାସ୍ତା ଓ ପୋଲ କଥା ଉଠାଇବା ପରେ କିଛି ଅର୍ଥ ମଞ୍ଜୁର ହୋଇଥିଲା। ହେଲେ ରାସ୍ତା ତିଆରି ହେଲା ନାହିଁ। ଏ ସମ୍ପର୍କରେ ଗଦଗୁ ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନଙ୍କୁ ପଚାରିବାରୁ ଯେଉଁ କାଠଗଣ୍ଡି ପକାଇ କିଛି ଗ୍ରାମବାସୀ ଯାତାୟାତ କରୁଛନ୍ତି, ତାହା କେବଳ ଜଙ୍ଗଲରୁ କାଠ ଆଣିବା କିମ୍ବା ଗୋରୁ ଚରାଇବାରେ ବ୍ୟବହାର କରୁଛନ୍ତି। ତେଣୁ ଉକ୍ତ ରାସ୍ତା ପ୍ରତି ଗୁରୁତ୍ୱ ଦିଆଯାଇ ନାହିଁ। ଯଦି ଅଧିକ ସଂଖ୍ୟାରେ ଅଞ୍ଚଳବାସୀ ଯାତାୟାତ କରୁଥାନ୍ତି, ତା’ହେଲେ ଏହାର ସମୀକ୍ଷା କରାଯାଇ ପଦକ୍ଷେପ ଗ୍ରହଣ କରାଯିବ ସେ ବୋଲି କହିଛନ୍ତି।