ଗାଁକୁ ନାହିଁ ରାସ୍ତା, ଭାରରେ ବୁହାହେଲେ ଗର୍ଭବତୀ

ପଟ୍ଟାଙ୍ଗି,୧୬।୯(ଶରତ ଧଳ):ଗାଁକୁ ନାହିଁ ରାସ୍ତା ଭାରରେ ବୁହାହେଲେ ଗର୍ଭବତୀ ମହିଳା। କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତରେ ଏହିପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏଟି ଗାବ୍‌ଡାର ଗ୍ରାମରେ ବସବାସ କରୁଥିବା ରାମଚନ୍ଦ୍ର ହନ୍ତାଳଙ୍କ ପରିବାରରେ ଏହି ଘଟଣା ଘଟିଛି।

ସୂଚନା ମୁତାବକ ରାମଚନ୍ଦ୍ରଙ୍କ ସ୍ତ୍ରୀ ମାରି ମାଲେଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲେ ମଧ୍ୟ ତାଙ୍କୁ ଆମ୍ବୁଲାନ୍ସ କିମ୍ବା ଅନ୍ୟ କୌଣସି ଗାଡ଼ି ସହାୟତାରେ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇବା ସମ୍ଭବପର ନ ଥିଲା। ଯାହା ଫଳରେ ପରିବାର ସଦସ୍ୟ ଏବଂ ଗ୍ରାମବାସୀ ଭାରରେ ୫ କିଲୋମିଟର ବୋହି ଆଣିବା ପରେ କାରିଡି ଗ୍ରାମରେ ଅପେକ୍ଷାରତ ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇ ପଟାଙ୍ଗି ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ତୁରନ୍ତ ଚିକିତ୍ସା ଆରମ୍ଭ ହେବାରୁ ରାମଚନ୍ଦ୍ରଙ୍କ ସ୍ତ୍ରୀ ମାରି ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ସେପଟେ ରାମଚନ୍ଦ୍ରଙ୍କ ସ୍ତ୍ରୀ ମାରି ଗୁରୁତର ରହିଥିବାବେଳେ ଠିକ ସମୟରେ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଯାଇଥିବାରୁ ମୃତ୍ୟୁମୁଖରୁ ଜନ୍ମିତ ଶିଶୁପୁତ୍ର ବଞ୍ଚି ଯାଇଥିବା ରାମଚନ୍ଦ୍ର ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ ଉକ୍ତ ଗ୍ରାମରେ ୧୧ଟି ପରିବାର ବସବାସ କରୁଥିବାବେଳେ ଗ୍ରାମକୁ ଖଣ୍ଡିଏ ଭଲ ରାସ୍ତାଟିଏ ଯୋଗାଇ ପାରିନାହିଁ ବ୍ଲକ ପ୍ରଶାସନ। ଯାହାଫଳରେ ଏହିପରି ସମସ୍ୟା ସବୁବେଳେ ଗ୍ରାମବାସୀ ସମ୍ମୁଖୀନ ହେଉଥିବା ଜଣାପଡିଛି। ଏହାସହ ଏଠାରେ ବିଦ୍ୟୁତ ସେବାଠାରୁ ଆରମ୍ଭ କରି ପାନୀୟ ଜଳ ବ୍ୟବସ୍ଥା ନାହିଁ। ଏହିପରି ସ୍ଥିତିରେ ପ୍ରଶାସନ କହୁଥିବା ଉନ୍ନୟନମୂଳକ କାର୍ଯ୍ୟକୁ ନେଇ ଗ୍ରାମବାସୀ ଉଠାଇଛନ୍ତି ଅନେକ କିଛି ପ୍ରଶ୍ନ ।

ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ବାଇକ ଆମ୍ବୁଲାନ୍ସ ସେବା ଏକ ପ୍ରକାର ଦିଗହରା ହୋଇଥିବା ବେଳେ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ବାଇକ ଆମ୍ବୁଲାନ୍ସ ପଡି ଖତ ଖାଉଛି । ରାଜ୍ୟ ସରକାର ଗ୍ରାମାଞ୍ଚଳରେ ଲୋକେ କିପରି ଠିକ ସମୟରେ ସ୍ବାସ୍ଥ୍ୟ ସେବା ପାଇବାକୁ ଦୃଷ୍ଟିରେ ରଖି ପ୍ରତି ପଞ୍ଚାୟତ ସଦର ମହକୁମାରେ ସ୍ବାସ୍ଥ୍ୟ ଉପକେନ୍ଦ୍ର ଖୋଲାଯାଇଛି। କିନ୍ତୁ ଏହିପରି ସୁବିଧା ପଟ୍ଟାଙ୍ଗି ବ୍ଲକର ନୂଆଗାଁ ପଞ୍ଚାୟତର ଗାଲିଗାବ୍‌ଡାର ଗ୍ରାମ ନିକଟରେ ରହିଥିଲେ ମଧ୍ୟ ଉକ୍ତ କେନ୍ଦ୍ରରେ କମ୍ୟୁନିଟି ହେଲ୍‌ଥ ଅଫିସରେ କେହି ନିଯୁକ୍ତି ହୋଇନାହାଁନ୍ତି । ଯାହାକୁ ନେଇ ଉକ୍ତ ପଞ୍ଚାୟତର ସରପଞ୍ଚ ସୁବାଷ ଖରା ଅସନ୍ତୋଷ ପ୍ରକାଶ କରିଛନ୍ତି ।