ଭବାନୀପାଟଣା,୧୩।୩(ସ୍ବ.ପ୍ର.): କଳାହାଣ୍ଡି ଜିଲାରେ ସୋମବାର ପୁଣି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗାଁକୁ ରାସ୍ତା ନ ଥିବାରୁ ଜ୍ୱରରେ ପୀଡିତା ଜଣେ ସ୍କୁଲ ଛାତ୍ରୀଙ୍କୁ ୧୪ କି.ମି. ଖଟିଆରେ ବୋହି ଡାକ୍ତରଖାନା ଅଣାଯାଇଛି। ଘଟଣାଟି ଘଟିଛି ଜିଲାର ଏମ୍.ରାମପୁର ବ୍ଲକର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଉର୍ଲାଦାନୀ ଆଶ୍ରମ ସ୍କୁଲରେ। ଯାମିନୀ ମାଝୀ ନାମ୍ନୀ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଜ୍ୱର ହେବାରୁ ସ୍କୁଲ ପ୍ରଧାନ ଶିକ୍ଷକ ଛାତ୍ରୀଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ।
ପରିବାର ଲୋକେ ସ୍କୁଲକୁ ଆସି ଯାମିନୀଙ୍କୁ ନିଜ ଗାଁ ପୁଇଝରୀକୁ ନେଇଥିଲେ। ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ଗାଁଠାରୁ ୧୪ କି.ମି ଦୂର ଖଟିଆରେ ନେଇ ଜଙ୍ଗଲ ରାସ୍ତାଦେଇ ଉର୍ଲାଦାନୀ ପ୍ରାଥମିକ ଚିକିତ୍ସା କେନ୍ଦ୍ରକୁ ନେଇଥିଲେ। ସେଠାରୁ ପୁଣି ଏମ୍.ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ବର୍ତ୍ତମାନ ଛାତ୍ରୀଙ୍କ ଚିକିତ୍ସା ଚାଲିଥିବା ଜଣାପଡିଛି।