ମଦ ପିଇବାର ନିରାପଦ ସୀମା ନାହିଁ

ନୂଆଦିଲ୍ଲୀ,୧୨।୧(ପି.ଟି.): ମଦ ପିଇବାର କୌଣସି ନିରାପଦ ସୀମା ନାହିଁ। ଯେତେ ଅଳ୍ପ ପରିମାଣର ମଦ ପିଇଲେ ବି ଏହା ଜଣକ ସ୍ବାସ୍ଥ୍ୟ ଉପରେ ଗମ୍ଭୀର ପ୍ରଭାବ ପକାଇପାରେ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି। ଲାନ୍‌ସେଟ ପବ୍ଲିକ୍‌ ହେଲ୍‌ଥ ପତ୍ରିକାରେ ଏହା ପ୍ରକାଶ ପାଇଛି। କ୍ୟାନ୍‌ସର ଉପରେ ଗବେଷଣା ଚଳାଇଥିବା ଅନ୍ତର୍ଜାତୀୟ ସଂସ୍ଥା ଆଜବେଷ୍ଟସ୍‌, ବିକିରଣ ଏବଂ ତମାଖୁ ସମେତ ମଦକୁ ଅତି ବିପଜ୍ଜନକ ଭାବେ ବର୍ଗୀକୃତ କରି ଏହାକୁ ଗ୍ରୁପ୍‌ ୧ କାର୍ସିନୋଜେନ୍‌ରେ ଅନ୍ତର୍ଭୁକ୍ତ କରିଛି, ଯାହାକୁ ବିଶ୍ୱବ୍ୟାପୀ କ୍ୟାନ୍‌ସର ବୃଦ୍ଧିର କାରଣ ବିବେଚନା କରାଯାଏ।

ସ୍ତନ କର୍କଟ ସମେତ ୭ ପ୍ରକାର କ୍ୟାନ୍‌ସରର କାରଣ ଆଲକୋହଲ ବୋଲି ଏହି ସଂସ୍ଥା ପୂର୍ବରୁ କହିଥିଲା। ଖାଦ୍ୟନଳୀ, ଯକୃତ କ୍ୟାନ୍‌ସର ସହ ମଧ୍ୟ ମଦର ସମ୍ପର୍କ ରହିଛି। ଶରୀର ମଧ୍ୟକୁ ଯିବା ପରେ ଆଲକୋହଲରେ ଥିବା ଉପାଦାନର ବିଭାଜନ ହୋଇ କ୍ୟାନ୍‌ସର ସୃଷ୍ଟି କରିଥାଏ। ତେଣୁ ମଦ ଯେତେ ଦାମୀ ଓ ଗୁଣବତ୍ତାର ହେଉ ନା କାହିଁକି ଏଥିରେ କ୍ୟାନ୍‌ସର ସୃଷ୍ଟିର ବିପଦ ରହିଛି। ୨୦୧୭ରେ ୟୁରୋପରେ ଦୈନିକ ୨୦ ଗ୍ରାମରୁ କମ୍‌ ଆଲକୋହଲ ପିଉଥିବା ୨୩ ହଜାର ଲୋକ କ୍ୟାନ୍‌ସରରେ ପୀଡ଼ିତ ହୋଇଥିଲେ। ଅଧିକ ମଦ୍ୟପାନ ହୃଦ୍‌ରୋଗ ବିପଦ ବଢ଼ାଇଥାଏ ବୋଲି ପ୍ରମାଣିତ ହୋଇଛି।

 

Share