ବିଡିଏ ଅଧ୍ୟକ୍ଷଙ୍କ ପାଇଁ ସ୍ବତନ୍ତ୍ର କକ୍ଷ ନାହିଁ

ଭୁବନେଶ୍ୱର, ୨୦ା୭ (ବନ୍ଦନା ସେଠୀ): ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) କାର୍ଯ୍ୟାଳୟରେ ଅଧ୍ୟକ୍ଷ ବସିବାକୁ ସ୍ଥାନ ନାହିଁ। ୨୦୧୯ ପରଠାରୁ ଅଧ୍ୟକ୍ଷଙ୍କ ଲାଗି ସ୍ବତନ୍ତ୍ର କକ୍ଷ ନ ଥିବାବେଳେ ନିକଟରେ ବିଭାଗୀୟ ମନ୍ତ୍ରୀ ତଥା ଅଧ୍ୟକ୍ଷ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ବିଡିଏ ପରିଦର୍ଶନରେ ଆସି ଦୁଆର ମୁହଁରୁ ଫେରିଯିବା ଘଟଣା ନିଆଁରେ ଘିଅ ଢାଳିଛି। ବିଡିଏ ପ୍ରତିଷ୍ଠା ହେବା ଦିନଠାରୁ ଅଧ୍ୟକ୍ଷଙ୍କ ଲାଗି କୋଠାର ୫ମ ମହଲାରେ ସ୍ବତନ୍ତ୍ର କକ୍ଷ ସହ ସମୀକ୍ଷା ଲାଗି କନ୍‌ଫରେନ୍ସ ହଲ୍‌ ଥିଲା। ମାତ୍ର ୨୦୧୯ରେ ବିଡିଏ ମୁଖ୍ୟାଳୟର ପୁନରୁଦ୍ଧାର ପରଠାରୁ ଅଧ୍ୟକ୍ଷଙ୍କ ଲାଗି ସେଠାରେ ଆଉ କକ୍ଷ ରହିଲା ନାହିଁ। ୫ମ ମହଲାରେ ଏବେ ବିଡିଏର ପ୍ଲାନିଂ ସେକ୍ସନ କାମ କରୁଥିବାବେଳେ ଅଧ୍ୟକ୍ଷଙ୍କ ଲାଗି ସ୍ବତନ୍ତ୍ର କକ୍ଷ ନିର୍ମାଣ କରାଯାଇନାହିଁ। ବିଡିଏ ଅଧ୍ୟକ୍ଷ ତଥା ବିଭାଗୀୟ ମନ୍ତ୍ରୀ ଡ. ମହାପାତ୍ର ବିଡିଏ ଆସି ଅଧିକାରୀଙ୍କୁ ନ ଭେଟି ଫେରିଯିବା ପରେ ବିଡିଏର ତଳ ମହଲାରେ ମନ୍ତ୍ରୀଙ୍କ ଲାଗି ସ୍ବତନ୍ତ୍ର କକ୍ଷ ନିର୍ମାଣ କରିବାକୁ ଯୋଜନା ହୋଇଥିବା ଚର୍ଚ୍ଚା ଜୋର୍‌ ଧରିଛି। ବିଡିଏ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଉଥିବା ମନ୍ତ୍ରୀ ଓ ସଚିବମାନେ ପୂର୍ବରୁ ବିଡିଏ ଆସି ପ୍ରକଳ୍ପ ସମୀକ୍ଷା କରୁଥିଲେ। କିନ୍ତୁ ୨୦୧୭ ପରଠାରୁ ଆଉ ବିଡିଏରେ ଏପରି କୌଣସି କାର୍ଯ୍ୟ ଅଧ୍ୟକ୍ଷଙ୍କ ଦ୍ବାରା କରାଯାଇ ନାହିଁ। ଗୃହ ଓ ନଗର ଉନ୍ନୟନ ବିଭାଗର ତତ୍କାଳୀନ ସଚିବ ଜି. ମାଥିଭାଥନନ୍‌ ବିଡିଏ ଆସି ସମୀକ୍ଷା କରିବା ପରିବର୍ତ୍ତେ ଅଧିକାରୀଙ୍କୁ ଡକାଇ ସମୀକ୍ଷା କରୁଥିଲେ। ଏବେ ସଚିବଙ୍କ ବଦଳି ଅନ୍ୟ ବିଭାଗକୁ ହୋଇଥିବାବେଳେ ମନ୍ତ୍ରୀ ଅଧ୍ୟକ୍ଷ ହୋଇଛନ୍ତି। ପଦ ମିଳିବା ପରେ ମନ୍ତ୍ରୀ ଆସିଲେ କେଉଁଠି ବସିବେ ସେ ନେଇ ବିଡିଏ ବରିଷ୍ଠ ଅଧିକାରୀଙ୍କ ମୁଣ୍ଡ ବିନ୍ଧା ଆରମ୍ଭ ହୋଇଛି।
ଅପରପକ୍ଷେ ବିଡିଏର ବ୍ୟୁକେସି ସେଲ୍‌ ଏବେ ବୟନିକା ଭବନରେ କାମ କରୁଥିବା ଦେଖିବାକୁ ମିଳିଛି। ଏହି ସେଲ୍‌ରେ ପ୍ରାୟ ୧୦ରୁ ଊର୍ଦ୍ଧ୍ୱ କର୍ମଚାରୀ କାମ କରୁଥିବାବେଳେ କମ୍ପ୍ୟୁଟର, ଚେୟାର, ଟେବୁଲ ନେଇ ଏବେ ସେମାନେ ବୟନିକାରେ ଡେରା ପକାଇଛନ୍ତି। ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ଦିନ ହେବ ଏହି ସେଲ୍‌କୁ ବୟନିକା ଭବନକୁ ପଠାଯାଇଥିବା ସୂଚନା ମିଳିଛି। ତେବେ ବ୍ୟୁକେସି ସେଲ୍‌ କାର୍ଯ୍ୟ କରୁଥିବା କକ୍ଷର ପୁନରୁଦ୍ଧାର କରାଯାଉଥିବାରୁ ସେଠାରେ ଅଧ୍ୟକ୍ଷଙ୍କ ବସିବା ପାଇଁ ବ୍ୟବସ୍ଥା ହେଉଥିବା କୁହାଯାଉଛି। ଏଥିପାଇଁ ବିଡିଏ ଉପାଧ୍ୟକ୍ଷଙ୍କ ନିର୍ଦ୍ଦେଶରେ ରାତି ଅଧିଆ ବ୍ୟୁକେସି ସେଲ୍‌ର ସ୍ଥାନାନ୍ତର କରାଯାଇଥିବା କେତେଜଣ କର୍ମଚାରୀ ନାମ ଗୋପନ ରଖି କହିଛନ୍ତି। ତେବେ ଏ ସମ୍ପର୍କରେ ବିଡିଏ ଉପାଧ୍ୟକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Share