ଫସଲ ଅମଳ ପାଇଁ ନାହିଁ ଖଳା

ପ୍ରୀତିପୁର,୧୦ା୫(ସୁଶାନ୍ତ ବେହୁରିଆ): ଖଳା ନ ଥିବାରୁ ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଅଧୀନ ବିଭିନ୍ନ ପଞ୍ଚାୟତର ଚାଷୀମାନେ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ଅମଳ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଅଞ୍ଚଳରେ ଧାନ, ବିରି ଓ ମୁଗ ପ୍ରମୁଖ ଅର୍ଥକାରୀ ଫସଲ। ଏସବୁ ଫସଲର ଅମଳ ପରେ ବସ୍ତା କରିବା ପାଇଁ ଖଳାଟିଏ ନିହାତି ଆବଶ୍ୟକ। ବିଞ୍ଝାରପୁର ବ୍ଲକରେ ପ୍ରତି ପଚାଶ ହେକ୍ଟରକୁ ଗୋଟେ ଖଳା ଆବଶ୍ୟକ ଥିବାବେଳେ ୧୨୩୦୦ ହେକ୍ଟର ଜମିରେ କେବଳ ଖରିଫ ଧାନ ଚାଷ ପାଇଁ ୧୦୦ରୁ ଊର୍ଦ୍ଧ୍ୱ ଖଳା ଆବଶ୍ୟକ। ହେଲେ ବିଞ୍ଝାରପୁର କୃଷି ବିଭାଗ ଅଧୀନରେ ଆଉଁରୀ, ଚିକଣା, ବରପଦା, ଫତେପୁର, ଶାସନ୍ଦା ଓ ବଛୋଳ ପଞ୍ଚାୟତରେ ମାତ୍ର ୬ ସରକାରୀ ଖଳା ରହିଛି। ଶସ୍ୟ ଅମଳ ପାଇଁ ଖଳା ଅଭାବରୁ ଚାଷୀମାନେ ନିଜ ଅଞ୍ଚଳରେ ସାଧାରଣ ଲୋକେ ଯାତାୟାତ କରୁଥିବା ଗ୍ରାମ୍ୟ ସଡ଼କ ଓ ଜିଲା ମୁଖ୍ୟ ସଡ଼କକୁ ଖଳା ଭାବେ ବ୍ୟବହାର କରୁଛନ୍ତି। ଫଳରେ ଯାତ୍ରୀ ଓ ଚାଷୀମାନେ ଦୁର୍ଘଟଣାର ଶିକାର ହେଉଛନ୍ତି। ଏ ସମ୍ପର୍କରେ ବ୍ଲକ କୃଷି ଅଧିକାରୀ ସଞ୍ଜୀବ କୁମାର ସାମଲଙ୍କୁ ପଚାରିବାରେ ଅଧିକ ସଂଖ୍ୟାରେ ଖଳା ନିର୍ମାଣ ପାଇଁ ପ୍ରସ୍ତାବ ପଠାଯାଇଥିବା ସେ କହିଛନ୍ତି। ବିଭାଗୀୟ ଅଧିକାରୀ ଓ ଜିଲାପାଳ ଚାଷୀଙ୍କ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେଇ ତୁରନ୍ତ ପ୍ରତ୍ୟେକ ପଞ୍ଚାୟତରେ ଆବଶ୍ୟକତା ଅନୁଯାୟୀ ଖଳା ନିର୍ମାଣ କରିବାକୁ ଚାଷୀମାନଙ୍କ ପକ୍ଷରୁ ଦାବି ହୋଇଛି।