ଶିକ୍ଷକଙ୍କ ଲାଗି କୌଣସି ଟିକାକରଣ ବ୍ୟବସ୍ଥା ନାହିଁ

ଭୁବନେଶ୍ୱର, ୨୨।୭(ବ୍ୟୁରୋ): ରାଜ୍ୟରେ କରୋନା କଟକଣା ଭିତରେ ଆସନ୍ତା ୨୬ ତାରିଖରୁ ସ୍କୁଲ ଖୋଲିବ। କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲା ସ୍କୁଲ ଆସିବେ। ତେବେ ପ୍ରାଥମିକତା ଭିତ୍ତିରେ ଶିକ୍ଷକଙ୍କୁ ଆଗ ଟିକା ଦିଆଯିବ ବୋଲି ଗଣଶିକ୍ଷା ବିଭାଗ କହିଥିଲା। କିନ୍ତୁ ସ୍କୁଲ ଖୋଲିବାକୁ ଆଉ ମାତ୍ର ୨ଦିନ ଥିବା ବେଳେ ସେଭଳି କୌଣସି ବ୍ୟବସ୍ଥା ହୋଇ ନ ଥିବା ଜଣାପଡ଼ିଛି। ତେଣୁ କିଛି ଅଭିଭାବକ ପିଲାଙ୍କୁ ସ୍କୁଲ ଛାଡ଼ିବା ବିପଦ ମନେ କରୁଛନ୍ତି। ସେପଟେ ସ୍କୁଲ ଖୋଲିବାରେ ଟିକାକରଣ ବାଧକ ସାଜିବନି ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ସେ କହିଛନ୍ତି, ପ୍ରାୟ ସମସ୍ତ ଶିକ୍ଷକ ଓ କର୍ମଚାରୀ ଟିକା ନେଇଛନ୍ତି। ଯେଉଁମାନେ ନେଇ ନ ଥିବେ ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦେବାକୁ ସ୍ବାସ୍ଥ୍ୟ ବିଭାଗକୁ କହିଛୁ। ସେହିପରି ସ୍କୁଲକୁ ଆସୁଥିବା ପିଲାଙ୍କ ଅଭିଭାବକଙ୍କ ସହମତି ଆବଶ୍ୟକ। ଏଥିପାଇଁ ସବୁ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ବିଜୟ ମହାପାତ୍ର କହିଛନ୍ତି, ଶିକ୍ଷକମାନଙ୍କ ପାଇଁ ସ୍ବତନ୍ତ୍ର ଟିକାକରଣ ବ୍ୟବସ୍ଥା ନାହିଁ। ଆମେ ଯେଉଁ ବୟସ ଅନୁଯାୟୀ ଟିକାକରଣ କରୁଛୁ, ସମସ୍ତ ଶିକ୍ଷକ ସେଥିରେ ଅନ୍ତର୍ଭୁକ୍ତ। ସମସ୍ତଙ୍କୁ ଟିକା ନେବାକୁ କୁହାଯାଇଛି। ସେମାନେ ଟିକା ନେବା କଥା। ଯଦି ଏଯାଏଁ ଟିକା ନେଇନାହାନ୍ତି, ତେବେ ସ୍ବତଃପ୍ରବୃତ ଭାବରେ ଆସି ଟିକା ନିଅନ୍ତୁ।

Share