ଫୁଲବାଣୀ ଅଫିସ, ୩ା୨: ୧୫ ଦିନ ହେଲା ମିଳୁନି ପାଣି। ଲୋକେ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଳାଇଛନ୍ତି। ଏଭଳି ଘଟଣା କନ୍ଧମାଳ ଜିଲା ଫୁଲବାଣୀ ବ୍ଲକ ଗୁମାଗଡ ପଞ୍ଚାୟତରେ ଦେଖିବାକୁ ମିଳିଛି। ୧୫ ଦିନ ହେଲା ପାଜିଗାଡୁ ଗ୍ରାମରେ ପାଣି ସମସ୍ୟାର ସମାଧାନ ନ ହେବାରୁ ଗ୍ରାମବାସୀ ଗରା, ବାଲଟି ଧରି ଫୁଲବାଣୀ-ବ୍ରହ୍ମପୁର ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି। ଏହା ଯୋଗୁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଏହାପରେ ସ୍ଥାନୀୟ ସରପଞ୍ଚ ପ୍ରତାପ ଚନ୍ଦ୍ର କହଁର, ଆରଡବ୍ଲ୍ୟୁ ଏସ୍ଏସ୍ କନିଷ୍ଠ ଯନ୍ତ୍ରୀ କୁନାମୀ ହେମ୍ବ୍ରମ, ସଦର ଥାନା ପୋଲିସ ଘଟଣାସ୍ଥଳକୁ ଯାଇ ଲୋକଙ୍କୁ ବୁଝାସୁଝା କରିଥିଲେ। ଖୁବ୍ଶୀଘ୍ର ପାଣି ସମସ୍ୟାର ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେବା ପରେ ଲୋକେ ରାସ୍ତା ଅବରୋଧରୁ ହଟିଥିଲେ।