ନୂଆଦିଲ୍ଲୀ,୮ା୪:ଦକ୍ଷିଣ ଓଡ଼ିଶାରେ ପ୍ରବାହିତ ୪ଟି ନଦୀ ଏବେ ଶୁଖିଲା ପଡ଼ିଥିବା କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ୟୁସି)ଙ୍କ ତଥ୍ୟରୁ ଜଣାପଡ଼ିଛି। ଗ୍ରୀଷ୍ମ ଆରମ୍ଭରୁ ରାଜ୍ୟରେ ତାପମାତ୍ରା ଅସହ୍ୟ ହୋଇଥିବାବେଳେ ନଦୀଗୁଡ଼ିକରେ ଜଳ ନ ରହିବା ଚିନ୍ତାର କାରଣ ପାଲଟିଛି। ତଥ୍ୟ ଅନୁଯାୟୀ, ମହାନଦୀ ଏବଂ ଆନ୍ଧ୍ରପ୍ରଦେଶର ପେନ୍ନାର ମଧ୍ୟବର୍ତ୍ତୀ ଅଞ୍ଚଳ ଦେଇ ପ୍ରବାହିତ ନଦୀଗୁଡ଼ିକରେ ବର୍ତ୍ତମାନ ପାଣି ନାହିଁ। ଓଡ଼ିଶାର ଋଷିକୂଲ୍ୟା, ବଂଶଧାରା, ନାଗାବଳୀ ଓ ବହୁଦା ସମେତ ସାରଦା, ବରାହ, ତାଣ୍ଡବ, ଏରୁଲୁ, ଗୁଣ୍ଡଲକମ୍ମା, ତାମିଲେରୁ, ମୁସି, ପାଲେରୁ ଏବଂ ମାନେରୁ ଏବେ ଜଳଶୂନ୍ୟ ହୋଇଯାଇଛି। ଏଥିପାଇଁ କମ୍ ମୌସୁମୀ ବର୍ଷା, ବୃଷ୍ଟିପାତ ଢାଞ୍ଚାରେ ପରିବର୍ତ୍ତନ, ଅବବାହିକା କ୍ଷୟ ଏବଂ ଭୂତଳ ଜଳସ୍ତର ହ୍ରାସକୁ ବିଶେଷଜ୍ଞମାନେ ଦାୟୀ କରିଛନ୍ତି। ଅଣୁ ଜଳସେଚନ ବ୍ୟବସ୍ଥା ସାଙ୍ଗକୁ ଫସଲ ଅମଲ ଢାଞ୍ଚାରେ ପରିବର୍ତ୍ତନ କରାଗଲେ ଜଳ ନିଅଣ୍ଟ ୨୪ ପ୍ରତିଶତରୁ ୧୮ ପ୍ରତିଶତକୁ ହ୍ରାସ କରାଯାଇପାରିବ ବୋଲି ମହାନଦୀ ବେସିନ୍ ଅନୁଧ୍ୟାନରେ ପ୍ରସ୍ତାବ ଦିଆଯାଇଥିବା ଶକ୍ତି, ପରିବେଶ ଓ ଜଳ ପରିଷଦ (ସିଇଇଡବ୍ଲ୍ୟୁ)ର ବରିଷ୍ଠ କାର୍ଯ୍ୟକ୍ରମ ମୁଖ୍ୟ ନିତୀନ ବାସି କହିଛନ୍ତି।