କେନାଲରେ ପାଣି ନାହିଁ, ପଡ଼ିଆ ପଡ଼ିଛି ଚାଷଜମି

ଖଜୁରିପଡ଼ା,୨୮ା୭(ବିଦୁର ବେହେରା) : ଶ୍ରାବଣ ମାସରେ ବର୍ଷା ଝଡି, ବର୍ଷା ଝଡ଼ିରେ ଚାଲିଛି ଜୋରଦାର ଚାଷ କାମ। କିନ୍ତୁ କେନାଲରେ ପାଣି ନାହିଁ। ରକ୍ଷଣାବେକ୍ଷଣ ଅଭାବ ଯୋଗୁ କେନାଲ ଭିତରେ ଅନା ବନା ଗଛ, ସହିତ ଘାସ ଭରି ହୋଇ ରହିଛି। କେନାଲରେ ପାଣି ନ ଆସୁଥିବା ଯୋଗୁ ଚାଷ ଜମି ପଡ଼ିଆ ପଡିଛି। ଏହା ଦେଖିବାକୁ ମିଳିଛି ଖଜୁରିପଡ଼ା ବ୍ଲକ ଅନ୍ତର୍ଗତ ପୁରୁଣା ପାଣି ଜଳ ଭଣ୍ଡାରର କେନାଲରେ। ଏହି କେନାଲ ପୁରୁଣା ପାଣି ଠାରୁ ସୁନ୍ଦର୍‌ଗଡ ଯାଏ ସଂଯୋଗ ହୋଇଛି। ଏହି ଅଞ୍ଚଳର ଚାଷୀମାନେ ଜଳକର ଦେଉଛନ୍ତି। ମାତ୍ର ଖରା ଦିନ କେନାଲ ମରାମତି କରାଯାଉ ନାହିଁ। ଯାହାର ଦୁର୍ଦ୍ଦଶା ଭୋଗିବାକୁ ପଡେ ଚାଷ ଦିନରେ। ସୁନ୍ଦର୍‌ ଗଡ ସ୍କୁଲ ନିକଟରେ ଖରା ଦିନେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ ସରକାର ଚାଷ ଜମି ଗୁଡ଼ିକର ମରାମତି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି କରିଛନ୍ତି। ମାତ୍ର ସେହି ବିଲ ଗୁଡ଼ିକୁ କେନାଲ ପାଣି ପହଞ୍ଚି ନ ପାରିଥିବା ଯୋଗୁ ତାହା ଏବେ ପଡ଼ିଆ ପଡିଛି। ଏହି ସମସ୍ୟା ସମ୍ବନ୍ଧରେ ପଚାରି ବୁଝିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଫୋନ ମାଧ୍ୟମରେ ଯୋଗ କରିଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।