Advertisement

ଡାକ୍ତରଖାନାରେ ପାଣି ନାହିଁ, ରୋଗୀଙ୍କ ଡାଏଲିସିସ୍‌ ବନ୍ଦ

ମାଲକାନଗିରି,୨୫।୮(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟରେ କିଛିଦିନ ହେଲା ପାଣିର ଅଭାବ ଦେଖାଦେଇଛି। ଫଳରେ କିଡ୍‌ନୀ ରୋଗୀଙ୍କ ସେବା ବାଧାପ୍ରାପ୍ତ ହୋଇଛି। ପରିସ୍ଥିତି ଏଭଳି ହୋଇଛି ଯେ, ଡାଏଲିସିସ୍‌ ପାଇଁ ଆସୁଥିବା ରୋଗୀଙ୍କୁ ସ୍ବାସ୍ଥ୍ୟ କର୍ମଚାରୀ ଫେରାଇ ଦେଉଛନ୍ତି। ସୂଚନା ଅନୁଯାୟୀ, ଡାଏଲିସିସ୍‌ ପାଇଁ ଅଧିକ ପାଣିର ଅବଶ୍ୟକ ହୋଇଥାଏ। ହେଲେ ଡାକ୍ତରଖାନାରେ କିଛିଦିନ ହେଲା ଜଳାଭାବ ଯୋଗୁ ରୋଗୀଙ୍କୁ ସେବା ମିଳି ପାରୁନାହିଁ। ଡାଏଲିସିସ୍‌ ଅପେକ୍ଷାରେ ଥିବା ୮ ରୋଗୀ ଘରକୁ ଫେରିଯାଇଛନ୍ତି। ଏନେଇ ହସ୍ପିଟାଲ ଡାଏଲିସିସ୍‌ ସେଣ୍ଟର ମ୍ୟାନେଜର ଆଶୁତୋଷ ସାହୁଙ୍କୁ ପଚାରିବାରୁ ସେ ଏହି ଘଟଣାକୁ ସ୍ବୀକାର କରିଛନ୍ତି। ନିର୍ମାଣ କାମ ଚାଲିଥିବାରୁ ପାଇପ୍‌ଲାଇନ ଫାଟିଯାଇଛି। ଅବଶ୍ୟକ ମୁତାବକ ପାଣି ନ ଥିବାରୁ ରୋଗୀଙ୍କ ଡାଏଲିସିସ ହୋଇପାରୁ ନାହିଁ। ଏ ନେଇ ହସ୍ପିଟାଲ ମ୍ୟାନେଜର, ଏଡିଏମ୍‌ଓ ଏବଂ ସିଡିଏମ୍‌ଓଙ୍କୁ ଅବଗତ କରାଯାଇଥିବା ସେ କହିଛନ୍ତି। ତେବେ ଗୁରୁତର କିଡ୍‌ନୀ ରୋଗୀଙ୍କ ପାଇଁ ଡାଏଲିସିସ୍‌ ଅତି ଜରୁରୀ ହୋଇଥିବାବେଳେ ସାମାନ୍ୟ ପାଇପ୍‌ ଫାଟିବା କାରଣରୁ ଜରୁରୀ ସେବା ବନ୍ଦ ରଖିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ମରାମତି କରାଯାଇ ରୋଗୀଙ୍କୁ ସେବା ଯୋଗାଇ ଦେବାକୁ ରୋଗୀଙ୍କ ସମ୍ପର୍କୀୟ ଦାବି କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share