ଟ୍ୟାପ୍‌ରେ ପାଣି ଆସୁନି, ଜଳକଷ୍ଟ ଭୋଗୁଛନ୍ତିି ଲୋକେ

ବୈପାରିଗୁଡ଼ା,୬।୩(ଡି.ଏନ୍‌.ଏ.): ଜନସାଧାରଣଙ୍କୁ ପାନୀୟଜଳ ଯୋଗାଣ ଲାଗି ସରକାର ବହୁ ଅର୍ଥ ଖର୍ଚ୍ଚ କରୁଛନ୍ତି। ମାତ୍ର ବିଭାଗୀୟ ଦାୟିତ୍ବହୀନତା ଓ ତଦାରଖ ଅଭାବରୁ ଯୋଜନା ଫସରଫାଟୁଛି। କୋରାପୁଟ ଜିଲା ବୈପାରିଗୁଡ଼ା ବ୍ଳକରେ ଏପରି ଦେଖିବାକୁ ମିଳିଛି।
ଖବରରୁ ଜଣାପଡ଼ିଛି, ୨ ବର୍ଷ ତଳେ ବୈପାରିଗୁଡ଼ା ମୁଖ୍ୟ ରାସ୍ତାକଡ଼ ଜନଗହଳିପୂର୍ଣ୍ଣ ଜାଗାରେ ପାନୀୟ ଜଳ ସମସ୍ୟା ଦୂର ପାଇଁ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଟାଙ୍କି ବସିଥିଲା। ପ୍ଲେଟ୍‌ ଉପରେ ଟାଙ୍କି ବସାଯାଇ ଟ୍ୟାପ୍‌ ଲଗାଯାଇଥିଲା। ବୈପାରିଗୁଡ଼ା ମୁଖ୍ୟ ଛକ, ଯାତ୍ରୀ ବିଶ୍ରାମାଗାର, ଷ୍ଟେଟ୍‌ ବ୍ୟାଙ୍କ, ଗୌଡ଼ସାହି ତ୍ରିନାଥ ମନ୍ଦିର ଓ ଥାନା ଆଦି ଜନଗହଳିପୂର୍ଣ୍ଣ ସ୍ଥାନରେ ଏସବୁ ପାନୀୟ ଜଳ ଟାଙ୍କି ବସାଯାଇଥିଲା। ଥାନା ନିକଟରେ ଥିବା ଗୋଟିଏ ଟାଙ୍କି ଖରାପ ହୋଇପଡ଼ିଥିବା ବେଳେ ଅନ୍ୟ ଟାଙ୍କିଗୁଡିକୁ ପାଣି ଉଠୁନାହିଁ ା ବିଶ୍ରାମାଗାରଠାରେ ଥିବା ପାଣିଟାଙ୍କିରେ ଆରମ୍ଭରୁ ପାଣି ଆସୁ ନ ଥିବା ବେଳେ ଏବେ ଉକ୍ତ ଟାଙ୍କି ମଧ୍ୟ ସେଠାରୁ ଉଭାନ ହୋଇଯାଇଛି ା ଉପରୋକ୍ତ ସ୍ଥାନଗୁଡ଼ିକରେ ରାସ୍ତା ପାର୍ଶ୍ୱରେ କୌଣସି ଜାଗାରେ ନଳକୂପ କିମ୍ବା କୂଅ ନାହିଁ ା ବୈପାରିଗୁଡ଼ା ଦେଇ ୩୨୬ ନଂ. ଜାତୀୟ ରାଜପଥ ଯାଇଛି। ଏହା ଜୟପୁର-ମାଲକାନଗିରି ରାସ୍ତାର ଏକ ପ୍ରମୁଖ ଛକ। ପ୍ରତିଦିନ ଏଠାରେ ବସ୍‌ଯାତ୍ରୀଙ୍କ ଭିଡ଼ ଲାଗିଥାଏ। ବ୍ଲକ ସଦର ମହକୁମା ହୋଇଥିବାରୁ ବିଭିନ୍ନ ଅଫିସ୍‌ କାମରେ ଗ୍ରାମାଞ୍ଚଳରୁ ମଧ୍ୟ ଲୋକେ ଆସିଥାନ୍ତି। ଏବେ ଗ୍ରୀଷ୍ମଋତୁ ଆରମ୍ଭ ହୋଇଯାଇଥିବାରୁ ଅଞ୍ଚଳରେ ଜଳକଷ୍ଟ ଆରମ୍ଭ ହୋଇଗଲାଣି। ଫଳରେ ପାଣି ମୁନ୍ଦେ ପାଇଁ ଲୋକେ ଡହଳବିକଳ ହେଉଛନ୍ତି। ଏ ସମ୍ପର୍କରେ ବିଡିଓ କବି ଅଭିମନ୍ୟୁ ଶତପଥୀଙ୍କୁ ପଚାରିବାରୁ ସେ କହିଲେ, ଏ ସମ୍ପର୍କରେ ସେ ଦାୟିତ୍ୱରେ ଥିବା କନିଷ୍ଠଯନ୍ତ୍ରୀଙ୍କୁ ପଚାରି ପଦକ୍ଷେପ ନେବେ।

Share