ଏସ୍‌ସିବି ପରିସରରେ ଜେରକ୍ସ ସୁବିଧା ନାହିଁ

କଟକ,୮ା୨(ଶିଳ୍ପା ପ୍ରିୟଦର୍ଶିନୀ)ଏସ୍‌ସିବି ମେଡିକାଲ ପରିସରରେ ଜେରକ୍ସ ସୁବିଧା ନ ଥିବା ରୋଗୀ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି। ଫଳରେ ଜେରକ୍ସ କରିବା ପାଇଁ ସେମାନଙ୍କୁ ମେଡିକାଲ ବାହାରକୁ ଯିବାକୁ ପଡୁଛି। ଏହାକୁ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ତୁରନ୍ତ ମେଡିକାଲ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସେମାନେ ଦାବି କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଏସ୍‌ସିବି ମେଡିକାଲରେ ସୁପରସ୍ପେସିଆଲ ଆଉଟ୍‌ଡୋର, ମେଡିସିନ ଆଉଟ୍‌ଡୋର, କାର୍ଡିଓଲୋଜି ଆଉଟଡୋର ଭଳି ଅନ୍ୟାନ୍ୟ ଆଉଟ୍‌ଡୋର ପ୍ରତିଦିନ ବାରି ଅନୁଯାୟୀ ରହିଥାଏ। ଫଳରେ ବିଭିନ୍ନ ଆଉଟ୍‌ଡୋର୍‌କୁ ପ୍ରତିଦିନ ରୋଗୀ ସେମାନଙ୍କ ସମ୍ପର୍କୀୟଙ୍କ ସହିତ ଆସିଥାନ୍ତି। ସେଠାରେ ଡାକ୍ତରଙ୍କ ପରାମର୍ଶକ୍ରମେ ବିଭିନ୍ନ ବିଭାଗକୁ ରୋଗୀ ଯାଇଥାନ୍ତି। ହେଲେ ସେମାନଙ୍କର ଆବଶ୍ୟକ ପରୀକ୍ଷା ଯଥା- ସିଟି ସ୍କାନ, ଏକ୍ସ-ରେ, ଅଲଟ୍ରାସାଉଣ୍ଡ ଆଦି ପାଇଁ ଉକ୍ତ ସ୍ଥାନରେ ପ୍ରେସ୍‌କ୍ରିପ୍‌ଶନ୍‌ର ଜେରକ୍ସ କପି ଆବଶ୍ୟକ ପଡେ। ଜେରକ୍ସ କପି ରଖିବା ପରେ ରୋଗୀଙ୍କର ପରୀକ୍ଷା କରାଯିବା ସହ ରିପୋର୍ଟ ପ୍ରଦାନ କରାଯାଇଥାଏ। ହେଲେ ଏ ସମ୍ପର୍କରେ ଅନେକ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଜାଣି ନ ଥାନ୍ତି। ପରୀକ୍ଷା ପାଇଁ ଧାଡିରେ ଛିଡା ହୋଇଥିବା ରୋଗୀ ହଠାତ୍‌ ଏହା ଜାଣିବା ପରେ ଜେରକ୍ସ କରିବା ପାଇଁ ମେଡିକାଲ ବାହାରକୁ ଧାଇଁଥାଏ। ବୁଧବାର କେତେଜଣ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଏଭଳି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଭଦ୍ରକରୁ ଏସ୍‌ସିବି ମେଡିକାଲକୁ ଆସିଥିବା ମନ୍ମଥ ମଲ୍ଲିକ ଓ ନରେନ୍ଦ୍ର ପ୍ରସାଦ ସାହୁ କହିଛନ୍ତି, ଏସ୍‌ସିବିକୁ ବିଶ୍ୱସ୍ତରୀୟ ମେଡିକାଲରେ ପରିଣତ କରାଯାଉଛି। ହେଲେ ଏଠାରେ ଛୋଟ ଛୋଟ ସମସ୍ୟା ରହିଛି। ରୋଗୀ ଚିକିତ୍ସା ପାଇଁ ଜେରକ୍ସ କପି ଆବଶ୍ୟକ ପଡିଲା। ହେଲେ ଏଠାରେ ଏଭଳି ବ୍ୟବସ୍ଥା ନ ଥିବାରୁ ରୋଗୀଙ୍କୁ ଛାଡି ଜେରକ୍ସ କରିବା ପାଇଁ ମେଡିକାଲ ବାହାରକୁ ଆସିବାକୁ ପଡିଲା। ଏ ଦିଗରେ ମେଡିକାଲ କର୍ତ୍ତୃପକ୍ଷ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ସେହିପରି କେନ୍ଦୁଝରରୁ ଆସିଥିବା ସୁକାନ୍ତ ଗଡ଼ନାୟକ କହିଛନ୍ତି, ଚିକିତ୍ସା ପାଇଁ ମୋ ସ୍ତ୍ରୀ ୨୩ ଦିନ ହେବ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସୁସ୍ଥ ହେବାରୁ ବୁଧବାର ତାଙ୍କୁ ଡିସ୍‌ଚାର୍ଜ କରାଯାଇଛି। ଏଥିପାଇଁ ସମସ୍ତ ପ୍ରେସ୍‌କ୍ରିପ୍‌ସନ୍‌ର ଜେରକ୍ସ କପି ଆବଶ୍ୟକ। ହେଲେ ମେଡିକାଲ ପରିସରରେ ଜେରକ୍ସ ବ୍ୟବସ୍ଥା ନ ଥିବାରୁ ବାହାରକୁ ଆସିବାକୁ ପଡିଥିବା ସେ କହିଛନ୍ତି। ଅପରପକ୍ଷରେ ଏସ୍‌ସିବି ମେଡିକାଲ ଅଧୀକ୍ଷକ ପ୍ରଫେସର ସୁଧାଂଶୁ ଶେଖର ମିଶ୍ର କହିଛନ୍ତି, ମେଡିକାଲ ପରିସରରେ ଜେରକ୍ସ ସୁବିଧା ରହିଛି। ଧୀରେ ଧୀରେ ସମସ୍ତ ବ୍ୟବସ୍ଥା ଉପରେ କାର୍ଯ୍ୟ କରାଯାଉଛି। ଜେରକ୍ସ ବ୍ୟବସ୍ଥା ସମ୍ପର୍କରେ କୌଣସି ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଅଭିଯୋଗ କରିନାହାନ୍ତି। ଗଣମାଧ୍ୟମରୁ ଏହା ଜାଣିବାକୁ ପାଇଲୁ। ଆଗାମୀ ଦିନରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ କିଭଳି ଅସୁବିଧାର ସମ୍ମୁଖୀନ ନ ହେବେ ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ମିଶ୍ର କହିଛନ୍ତି।

Share